ଶୁନ୍ୟ ବ୍ରହ୍ମ
ଶୁନ୍ୟ ବ୍ରହ୍ମ
ପ୍ରଥମତଃ ଆକାଶର ନାହିଁ ଅନ୍ତ
ନାହିଁ ମାପ କି ଆକାର
ସୀମା ହୀନ ଆକାଶରେ ସର୍ବ ଶୁନ୍ୟ
ଉତ୍ପତ୍ତି ଶୁନ୍ୟ ଶବ୍ଦର
ସୃଷ୍ଟି ର ଉତ୍ପତ୍ତି ସମ୍ଭବ ଶୁନ୍ୟ ରୁ
ବିଲୟ ସେହି ଶୁନ୍ୟରେ
ଏ ଶୁନ୍ୟ ହିଁ ବ୍ୟାପକ ପୁଣି ଅସୀମ
ଭାବ ଚିନ୍ତା ଚେତନାରେ
ଶୁନ୍ୟ ମଧ୍ୟେ ଅଛି ଚେତନାର ଶକ୍ତି
ଯିଏ ଚଳାଏ ଜଗତ
ସେ' ଚେତନା ଶକ୍ତି ଅଟେ ଶୁନ୍ୟ ବ୍ରହ୍ମ
ନାମେ ସଦା ଅଭିହିତ ।
ଅଦୃଶ୍ୟ ରେ ବିଶ୍ଵ ନିୟନ୍ତା ଶୁନ୍ୟରେ
କେବଳ ହୃଦୟଙ୍ଗମ
ଅଦୃଶ୍ୟ ଶକ୍ତି ହିଁ ଶୁନ୍ୟ ବ୍ରହ୍ମ ରୂପେ
ଉପଲବ୍ଧି ଅଟେ କାମ୍ୟ
ବ୍ରହ୍ମ ବଳେ ପରିଚାଳିତ ସଂସାର
ଅଛି ବ୍ରହ୍ମର ଅସ୍ତିତ୍ବ
ନିରାକାର ପୁଣି ସର୍ବବ୍ୟାପୀ ବ୍ରହ୍ମ
ବ୍ରହ୍ମର ମୂଳେ ଜଗତ
ସେହି ଶୁନ୍ୟ ବ୍ରହ୍ମ ବ୍ୟାପି ଶୁନ୍ୟ ରୂପେ
ସବୁ କରି ଓ କରାଏ
ଜଗତର ହିତେ ସର୍ବଦା ତପ୍ତର
ବିଭିନ୍ନ କରଣି ପ୍ରାୟେ
ନିରାକାର ଆଉ ଶୁନ୍ୟ ବ୍ରହ୍ମ ମଧ୍ୟେ
ପ୍ରଭେଦ ପରିକଳ୍ପନା
ସମାଧିସ୍ଥ ଜ୍ଞାନ ଯୋଗେ ବ୍ରହ୍ମ ଦୃଶ୍ୟ
ଯଦି ହୁଅଇ ସାଧନା
କଳ୍ପନା ଆକାରେ ନିରାକାର ବ୍ରହ୍ମ
କେବଳ ହୃଦୟଙ୍ଗମ
ଶୁନ୍ୟ ରୂପେ ଯାହା ଅଛି ସର୍ବ ବ୍ୟାପୀ
ତାହା ଅଟେ ଶୁନ୍ୟ ବ୍ରହ୍ମ
ରୂପ ଅବା ଆକୃତି ସହକାରେ ବ୍ରହ୍ମ
ଯଦି ଉଭା ଅବା ବିଜେ
କେବଳ ସ୍ବରୂପ ସେ ଶୁନ୍ୟ ବ୍ରହ୍ମର
ପ୍ରତ୍ୟୟ ହୁଏ ସହଜେ ।
ମହାଶୁନ୍ୟ ରୁ ଜ୍ୟୋତି,ଜ୍ୟୋତି ରୁ ଠୁଳ
ବିନ୍ଦୁ ବି ଠୁଳ-ରୂପ ରୁ
ବିନ୍ଦୁର ଅର୍ଦ୍ଧ ମାତ୍ରା ରୁ 'ଓଁ ' ର ସୃଷ୍ଟି
ଏଇ ସୃଷ୍ଟି ଆରମ୍ଭରୁ
ଓଁକାର ହିଁ ବ୍ରହ୍ମଙ୍କର ଅନ୍ୟ ନାମ
ଶୁନ୍ୟ ଶାନ୍ତ ଓ ଅବ୍ୟକ୍ତ
ତପ ବଳରେ ଓଁକାର ରୁ ପ୍ରକାଶ
ପୁଣି ବ୍ରହ୍ମ ହୁଏ ଜାତ
ଅକ୍ଷର ,ପ୍ରକୃତି ଆଉ ଶବ୍ଦ ବ୍ରହ୍ମ
ତିନି ରୂପରେ ବିଭକ୍ତ
ଅକ୍ଷର ବ୍ରହ୍ମ ହିଁ ଦାରୁବ୍ରହ୍ମ ରୂପେ
ପରଂବ୍ରହ୍ମ ଜଗନ୍ନାଥ
ପରା ଶକ୍ତି ପୁଣି ଅପରା ପ୍ରକୃତି
ଯୋଗମାୟା ସୁଭଦ୍ରିକା
ଶୁନ୍ୟରୁ ଠୁଳ-ରୂପ ପ୍ରକାଶ ବ୍ରହ୍ମ
ବଳଭଦ୍ର ରୂପେ ଏକା ।
ଅନ୍ତିମ ଲକ୍ଷ୍ୟ ବି ମଣିଷ ଜୀବନେ
ମୋକ୍ଷ ପ୍ରାପ୍ତି ଏ ସଂସାରୁ
ମୋକ୍ଷ ମାପ କାଠି କେବଳ ଶୁନ୍ୟରେ
ନିର୍ଭର କୃତ କର୍ମରୁ
ବ୍ରହ୍ମର କାମନା ଓ ନିଜ କାମନା
ଯଦି ହୁଅଇ ସଂଯୁକ୍ତ
କାମନା ରହିତ ଜୀବନରେ ମୋକ୍ଷ
ଅବଶ୍ୟ ହୋଇବ ପ୍ରାପ୍ତ ।
ନିରାକାର ବ୍ରହ୍ମ ସାକାର ହୋଇଛି
କଳି କାଳେ ଦାରୁବ୍ରହ୍ମ
ବିଗ୍ରହ ଆକାରେ ଦର୍ଶନ ହେଉଛି
ହୃଦୟେ ସେ ଶୁନ୍ୟ ବ୍ରହ୍ମ
ଶୁନ୍ୟ ଶୁନ୍ୟ ମହାଶୁନ୍ୟ ଶୂନ୍ୟ ବ୍ରହ୍ମ
ଜାତ,ବିଲୟ ଶୁନ୍ୟରେ
ହୃଦୟ ରେ ଯଦି ଶୁନ୍ୟ ଭାବ ଜାତ
ଧ୍ୟାୟ ସେ ଶୁନ୍ୟ ବ୍ରହ୍ମରେ ।