STORYMIRROR

ABADHOOT PANDA

Abstract Inspirational

4  

ABADHOOT PANDA

Abstract Inspirational

ଶୁଭ୍ର ସନ୍ତକ

ଶୁଭ୍ର ସନ୍ତକ

1 min
381


ଧଳା ଅଟଇ ପ୍ରତୀକ ଶୁଦ୍ଧତା, ଶାନ୍ତି ଓ ସରଳତାର

ନିରାଡ଼ମ୍ବର ଭାବ ଉଦ୍ରେକୀ ମାନବ ମାନସ ପଟ୍ଟର ll


ମାତା ସରସ୍ବତୀଙ୍କ ଜ୍ଞାନର ଭଣ୍ଡାର ଆଉ ମେଧା

ସବୁକିଛି ଆଜି କରିଛି ବହନ ଶୁଭ୍ର ହଂସ ସଦା ll


ସୃଷ୍ଟି ରଚନା କାଳରୁ ଦିନମଣିଙ୍କ ଧଳା କିରଣେ

ଜୀବ ଉଦ୍ଭିଦ ଜଗତ ଧରିଆସିଛି ପ୍ରାଣ ଭୁବନେ ll


ପକ୍ୱ କେଶ ଆଜି କରୁଛି ପ୍ରକାଶ ପକ୍ଵ ଗୁଣରାଜି

ନବ ପିଢିଙ୍କୁ ଶିଖାଇ ମାନବ ନୀତିର ଆତସ ବାଜି ll


ବଗ ବଗୁଲି ବସିଛନ୍ତି ଧ୍ୟାନରେ ସର କୂଳେ ମିଶି

ଶିଖାଇ ଏକାଗ୍ରତା ମଣିଷ ଜାତିକୁ ମନେ ମନେ ହସି ll


ଆକାଶେ ଧଳା ବାଦଲ ଉଡ଼ି ଉଡ଼ି ଚାଲେ ବାରିଦେ

ଆତ୍ମିକ ଶାନ୍ତି ଭରେ ଚିତ୍ତେ ଶରତେ ଦର୍ଶକ ଅଳିନ୍ଦେ ll 


ଶୁଭ୍ର ବ୍ୟାଘ୍ର ବ୍ୟାଘ୍ରୀ ବଢ଼ାନ୍ତି ପୁଲକ ନନ୍ଦନ କାନନେ

ଶୋଭାନୀୟ ବୀର ଚାହାଣି ଢ଼ାଳି ଦର୍ଶକ ଆନନେ ll


ଧଳା ମଲ୍ଲୀ ଫୁଲେ କରନ୍ତି ଭକତେ ଦେବ ଉପଚାର

ଗୃହ ଲଳନାଙ୍କ ଗଭା ଶୋଭା ବଢ଼ାଏ ଗଜରା ହାର ll


ବାସନ୍ତୀକ ମଳୟ ବହି ଆଣେ ସୁଗନ୍ଧ ଧଳା ଚମ୍ପାର

ଜନ ମନ ତନୁ କରି ସୁବାସିତ ଖେଳାଏ ଶାଶ୍ୱତାସର ll


ଶ୍ଵେତ ପଦ୍ମ ପୁଷ୍କରିଣୀ ଜଳେ କରି ଶୋଭା ଯୁକ୍ତ

ବୃଦ୍ଧି କରିଥାଏ ନିଜ ଆକାଶୀ ବନ୍ଧୁଙ୍କ ମାନ ମହତ ll


ଭ୍ରମନ୍ତି ଭ୍ରମରେ ସରାଗେ କମଳିନୀ ପ୍ରେମରେ

ପ୍ରାତଃ ଅଭିସାରେ ତଡ଼ାଗର ନିର୍ମଳ କୋଳରେ ll


ଶୁଭ୍ର କେଶୀ ପିତାମହୀ ଆମର ହରଇ ବିକାର

ତାର କେଶ ଗୁଚ୍ଛେ ଝାଡ଼ି ଆମ ଶିର କଳେବର ll


ଶୁଭ୍ରାଙ୍ଗୀ ତରୁଣୀ ଆଜି ଅତି ଆଧୁନିକ ଯୁଗର

ପ୍ରଲୁବ୍ଧ କରି ଚାଲିଛି ଆଜି ନବଯୁବାଙ୍କୁ ନିରନ୍ତର ll


ଧବଳ ରଙ୍ଗ ଶାଶ୍ୱତ ଶିରୀର ସଂକେତ ଦାୟକ

ସଦା ଜ୍ଞାନ ଦାୟୀ ମହାମାୟୀକ ପଥ ପ୍ରଦର୍ଶକ ll


ଶୁଭ୍ର ଚେତନା ପ୍ରଦାୟକ ଏହି ଧବଳ ସଂକେତ l

ରବି କର ରଙ୍ଗେ ପ୍ରାଣଦାନେ ତୋଷେ ଜଗତ ll


ଧବଳେଶ୍ୱର ପ୍ରଭୁ କରିଥିଲେ ଦିନେ କୃଷ୍ଣ କାୟ

ବୃଷଭେ ପରିଣତ ଶଶ୍ୱତ ଧବଳ କାୟେ ସଦୟ ll


ଶୁଭ୍ର ରଙ୍ଗ ପ୍ରେମୀ ସଦାଶିବ ବାହନ ଧଳା ଷଣ୍ଢ

ଶ୍ୱେତ ମରାଳ କାକଳିରେ ମୁଖରିତ ଚିଲିକା ଗଣ୍ଡ ll


ହେ ଶୁଭ୍ର ଦେବ! ଭରିଦିଅ ଆମ ପ୍ରାଣେ ମାନବ ଧର୍ମ

ବସୁଧ୍ୟା ଭୁବନକୁ କରିଦିଅ ପ୍ରଭୁ ବୈକୁଣ୍ଠ ଭୁବନ ସମ ll

         


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract