ଶବ୍ଦ ସଂହିତା
ଶବ୍ଦ ସଂହିତା
ଶବ୍ଦରେ ବନ୍ଧା ଏ ଜୀବନ ଡୋର
ଶବ୍ଦପେନ୍ଥାରେ ଝୁଲୁଛି
ବ୍ୟକ୍ତିତ୍ଵ ନିର୍ବାଚନ ଲକ୍ଷ୍ମଣଶାର
ଶବ୍ଦପେଡି ଖୋଲିଲେ
ମୁଖ ଗମ୍ଭିରା ଦି ଫାଳ ହେଲେ
ଗହ୍ଵର ଭିତରୁ
ମୁଖ ମୟୁଖରୁ
ଜଣା ପଡିଯାଏ
ଶିକ୍ଷା ଦୀକ୍ଷାର ସ୍ତର
କୂଳ ମାନ ସମ୍ମାନର ଇସ୍ତାହାର ।
ଶବ୍ଦପୁଞ୍ଜ
ବେଳେ ବେଳେ ଫୁଙ୍କି ଦିଏ
ଅଗ୍ନି ସ୍ଫୁଲିଙ୍ଗ
ଶବ୍ଦଭେଦି ବାଣାଘାତରେ
ପିତ୍ତ ମଥାକୁ ଚଢିଯାଏ
ସଇତାନ୍ ପାଇଟେ ଦିବ୍ୟାଙ୍ଗ
ରକ୍ତ ରଂଜିତ ଆରକ୍ତ
ଆଖିରେ ଜମି ଉଠେ
ଲେଲିହାନ ସମର କରିବାର
କଳା କୈଶଳ କୋମଳାଙ୍ଗ ।
ଶବ୍ଦ କମାଣ ଗରଜେ ରହି ରହି
ଦୁନ୍ଦୁଭି ନାଦରେ
ଅଭିଧାନେ ମିଳେନା ଶବ୍ଦ ପଦ
ତୁହାକୁ ତୁହା ଗରଜିଲା ଶବ୍ଦରେ
ଶବ୍ଦ ତୃଣୀରକୁ ଠେଲି
ଗୁଳି ଠାରୁ କ୍ଷିପ୍ର ବେଗରେ
ଛାତି ଚିରି ଦେଇ
ଧାଇଁ ଯାଏ ଚୁପ୍ ଚାପ୍
ଦିଶେନା କ୍ଷତାକ୍ତ ରକ୍ତାକ୍ତ ଅଙ୍ଗ
ଭରେନା ଅଲିଭା କ୍ଷତ ସର୍ବାଙ୍ଗ ।
ଶବ୍ଦ ମଲମର ସ୍ଥାନ ନେଉ
ଯୋଡୁ ଦରଦୀ ହୃଦୟ
ଶବ୍ଦ ଔଷଧର କମାଲ କରୁ
ପୋଛୁ କଷ୍ଟ କ୍ଳିଷ୍ଟ କିଶଳୟ ।
ଶବ୍ଦ ସେବା ସୌହାର୍ଦ୍ୟର
ବାହନ ବାହକ
ଶବ୍ଦ ହସ ଖୁସିର
ସମୀର ସାୟକ ପରିଚାୟକ
ଶବ୍ଦ ଉତ୍ସବ ଆୟୋଜନର
ହେଉ ଉପପାଦ୍ୟ
ଶବ୍ଦ ପର୍ବ ପର୍ବ।ଣୀର
ହେଉ ମହାନ କାବ୍ୟ
ଶବ୍ଦ ଗୀତ କବିତାର
ଛତ୍ରେ ଛତ୍ରେ ବାଣ୍ଟୁ
ଶବ୍ଦ ପ୍ରେମ ପୀଯୁଷର
ମଳୟ ସଂଗୀତ ଫେଣ୍ଟୁ ।
ଶବ୍ଦ ସଂହିତାର ମର୍ମେ ମର୍ମେ
ଝୁମୁ ଜୀବନ ସମ୍ବତ୍ସର
ଶବ୍ଦ ଉଉଁରୀ ଖେଳୁ ନୀଳ ନୟନାର
ନୀଳ ଆଖିରେ ବାରମ୍ଵାର ।
