ରାତି
ରାତି
ବେଳ ବୁଡ଼ିଗଲେ ସୂରୁଜ ଦେବତା
ମାଆ କୋଳେ ମୁହଁ ଲୁଚାଏ,
ମତେ ସେଇ ସୁଯୋଗ ମିଳଇ,
ଧୀରେ ଧୀରେ ପାଦ ପକାଏ ।
ମତେ ଦେଖି ତାରା ଧରାକୁ ଅନାଏ
ଆଖି ମିଟି ମିଟି କରି,
ଆକାଶ ଛାତିରେ ରହି ଜହ୍ନମାମୁଁ
ହସୁଥାଏ କିରି କିରି ।
ଗାଁ ବିଲପଟେ ଶିଆଳ ଭୂକନ୍ତି
ହୁକେ ହୁକେ ହୁଆ କହିଟି,
ଉଡ଼ି ବୁଲୁଥାଏ ଜୁଳୁଜୁଳିଆଟି
ଜୁଳୁଜୁଳୁ କରି ଚାହିଁଟି ।
ନାଆଁଟି ମୋର ରାତି ବୋଲି ତୁମେ
ଜାଣିଥାଅ ପରା ପିଲାଏ,
ବୁଡ଼ିଲା ସୂରୁଜ ଆଣିଥାଏ ମତେ
ଉଇଁଲା ସୂରୁଜ ହଟାଏ ।