ରାତି ରାଣୀ
ରାତି ରାଣୀ
ରାତି ଶୋଇଗଲା ଦିନକୁ ଶୁଆଇ
ଅନ୍ଧାର ପଣତ ମେଲେଇ
ଶୀତଳ ସମୀର ଚ଼ାମର ଖେଳେଇ
ସପନ ଚ଼ାଦର ଘୋଡ଼େଇ |
ମଲ୍ଲୀ, ମାଳତୀ ଓ ଚ଼ମ୍ପା, ଚ଼ାମେଲୀଙ୍କୁ
ଗଭାର ଶୋଭାରେ ସଜାଇ
କଜଳପାତିର କଳାରେ ଆଂକଇ
ମୃଗନୟନକୁ ବଂକେଇ |
ଶରତ ଶିଶିର ରୂପେଲି ଶାଡ଼ିରେ
ହେମନ୍ତର ରଂଗ ଲଗାଇ
ବସନ୍ତ ଫୁଲରେ ମନଟି ଫୁଲେଇ
ଜାମିନୀ ହାଉଲେ ଚ଼ାଲଇ |
ଚ଼ାନ୍ଦ ଚ଼ାନ୍ଦିନୀରେ ଦେହ ଝଲକାଇ
ସିତାରା ତିଆରା ଲଗାଇ
ସୀତାର୍ ର ମଧୁ ଝଂକାରେ ଝୁମଇ
ଘୁଂଗୁରୁ ଆୱାଜେ ଲାଜେଇ |
ସରସୀର କଇଁ ଲାଜେଇ ଲାଜେଇ
ରାତି ରାଣୀ ମୁହଁ ଦେଖଇ,
ରାତିର ଚ଼ାନ୍ଦ ତ ଚିତ୍ତଚ଼ୋରା ତାର
ଯୁଗ ଯୁଗ ଧରି କହଇ |
ରାତିର ଛାତିରେ ପୀରତିର ତାତି
ବିରହ ବି ଥାଏ ଲୁଚ଼େଇ
ରାତି ମାୟାବିନୀ, ବିଚ଼ିତ୍ରା, ଚିତ୍ରିଣୀ
କେତେ କୁହୁଳିନି ଲାଗଇ |
ମନ ମୋହିନୀ ସେ ଜାମିନୀ ହସଇ
ଦିନ ରାଜା ବୁକେ ଜଡାଇ
ଦିନ ଦୁନିଆକୁ କିମିଆ କରଇ
ଉଷା ରାଣୀ ମନ ଚିଡ଼ାଇ |
ରାତି ରାଣୀ ବଡ଼ ଶିଆଣୀ ସହେଲୀ
ନିଦୁଲି ଆଖିରେ ଦେଖଇ,
ଧୋ' ବାଇୟାର କୋଳରେ ଶୁଆଇ
ଦିନ ଦୁଃଖ ଦିଏ ଭୁଲାଇ |
ଦିନ ଚ଼ାଲି ଯାଏ ରାତିର ବୁକୁରେ
ରାତି ଦିନେ ଯାଇ ମିଳଇ
ଦୁଃଖର ସୁଖର ଜୀବନ ମଞ୍ଚଟି
ଦିନ-ରାତି ମିଶି ପୂରଇ |

