ପଟି ଦିଅଁ
ପଟି ଦିଅଁ
ଦର୍ଶନ ଦେବାକୁ ମନ ନାହିଁ ତୁମ୍ଭ
ରହିଅଛ ଅଣସରେ,
ମହାସ୍ନାନ ପରେ ଜ୍ଵରରେ ପଡ଼ିଛ
ସିଂହଦ୍ଵାର ଆଜି ଝୁରେ l
ଗୋପନେ ରହିଛ ଏକାନ୍ତ ବାସରେ
ଜଗତକୁ ଦେଇ ଶିକ୍ଷା,
ଅଦିନ ଜ୍ଵରରେ ଏକାନ୍ତ ନିବାସ
ରହିବାଟା ଏକ ଦିକ୍ଷା l
କରୋନା ସମୟରେ କ୍ୱାରେଣ୍ଟାଇନ
ଏକାନ୍ତ ରହିବା ପରି,
ଚଉଦ ଦିନ ଥିଲ ମହା ପ୍ରଭୁ
ଅଣସରେ ସେଇ ପରି l
ବାଉଁଶ ତାଟିରେ ତାଟି ଲଗାଇଲ
ଅଣସର ଦ୍ଵାର ଆଗେ,
କଳା କପଡାରେ ପହଡ଼ ପକାଇ
ଲୁଚିଲକି କେଉଁ ରାଗେ l
ତୁମ ପ୍ରତିଛବି ଆଙ୍କି ଦେଲ ଦ୍ଵାରେ
ଭକତ ଦର୍ଶନ ପାଇଁ,
ତୁମ ପୂଜା ଵିଧି ହେଉ ଥାଏ ନୀତି
ପଟି ଦିଅ ପୂଜା ତହିଁ l
ଚକଡା ଭୋଗ ଲାଗି ହୁଏ ନୀତି
ଫଳ ମୂଳ ପାନୀୟ,
ଅଣସର ପଣା କେଡେ ମନୋହର
ସ୍ଵତନ୍ତ୍ର ତା ପରିଚୟ l
ତୁମ ଲୀଳା ପ୍ରଭୁ କିଏ ବା ବୁଝିବ
ତୁମେ ଏକା ଜାଣ ତହିଁ,
ଯୁଗେ ଯୁଗେ ପ୍ରଭୁ ନୀଳା କରୁଅଛ
ଜଗବନ୍ଧୁ ହେ ଗୋସାଇଁ l