STORYMIRROR

Sucharita Patra

Romance

3  

Sucharita Patra

Romance

ପଚାରିବୁନି

ପଚାରିବୁନି

1 min
206

ଅମୁହାଁ ହୃଦୟର ଦରଜା ଡେଇଁ

ଯେବେ ଆସିଥିଲୁ

ଫୁଟିଥିଲା କି ପାଦରେ କିଛି

ଝୁଣ୍ଟିଥିଲୁ କି ତୁ

ମୋ ଚରିତ୍ର ବର୍ଣ୍ଣନାର ଏରୁଣ୍ଡୁରେ

ଶୁଣିଥିଲୁ କି କିଛି ଟାହିଟାପରା

ଶୁଣିଥିଲୁ ଯଦି

କେମିତି ଡେଇଁଲୁ ସେ ବନ୍ଧ

ହୃଦୟର ତରାଜୁକୁ କେତେଥର ତଉଲେଇଛୁ

କହିବୁନି ମୋତେ କେବେ 

ହାଲୁକା ପଟେ ମୁଁ ଥିଲି ବୋଲି।

ତିଥି ବାର ମନେ ନାହିଁ 

ତୁ ଆସିବା ଦିନର

ଯିବାଦିନର ବି ରଖିବିନି

ଭର୍ତ୍ତି ଅଭିମାନର ବେଲୁନଟିକୁ

କେବେ ଫୁଟିବାକୁ ଦେବିନି

ଦୁବଘାସ ଭାବି ତୋ ଇଚ୍ଛାକୁ କାଟିନି

କାହା କଥା ଶୁଣି ବତୁରିଯିବୁ ଯଦି

ସାଉଁଟି ଆଣିବି ମୁଁ

ଥାପି ଥାପି ସଜେଇ ଦେବି

 ତତେ ମୋ ପ୍ରେମରେ

କାହା ପ୍ରରୋଚିତରେ ଭାସିଯିବୁନି

ସେଇ ନଈରେ ଜାଲ ପକାଇ 

ଟାଣି ଆଣିବି ତୋତେ

କିଟମିଟ କଳା ଦୁନିଆରେ

 ତୁ ହଜିବା ପୂର୍ବରୁ

ବତୀଖୁଣ୍ଟ ହୋଇ ଚାଲୁଥିବି 

ତୋ ଆଗେଆଗେ

ଝରିପଡିବୁ ଯେବେ 

କୋଳ ଶୂନ୍ୟ ରଖିଥିବି

ଜହ୍ନ ଯେବେ ବିତୃଷ୍ଣା କରି

 ତୋତେ ଛାଡିଦେବ

ଲାଗିବାକୁ ଦେବେନି 

ତୋ ଦେହେ ତା କଳଙ୍କ

ତାଳ ଲୟ ଭରିଚାଲିଥିବି

ମୋ ପ୍ରେମର ରାଗିଣୀ ଭିତରେ

ବାସ୍ ପଚାରିବୁନି ସେ ସଙ୍ଗୀତର ସାଧନା

କେଉଁଠି ଅଟକିବ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance