STORYMIRROR

Sucharita Patra

Others

3  

Sucharita Patra

Others

ଲାଲ୍ ରକ୍ତର କୁହୁଡି

ଲାଲ୍ ରକ୍ତର କୁହୁଡି

1 min
134

ନୀରବତାର ଢେଉ ଏତେ ଶୀଘ୍ର ନିରବି ଯିବ!

କେହି ଅବା କଣ ଜାଣିଥିଲା?

ଚଳଚଞ୍ଚଳ ସହର ଜନଶୂନ୍ୟର ରାହା ଧରିବ

ସେକଥା କେ ଅବା ଜାଣିଥିଲା ?

ରାତିର ଅନ୍ଧକାରରେ ତାରାର ଚିକମିକ୍ କିରଣ

କେବେ କଣ ନିଆଁ ଝୁଲା ଭଳି ତଳକୁ ଖସିପାରେ ?ପବନ ଶାନ୍ତ ହେବାରେ ଲାଗିଛି,

କାରଣ ସେ ଧୂଆଁଳିଆ ରାସ୍ତାରେ ମଣିଷ ଖୋଜୁଛି!ହେଲେ ଇଏ କ'ଣ ?

ଚାରିଆଡେ ତ ଖାଲି ପାଉଁଶ

ଗଦାଗଦା ମଣିଷର ପାଉଁଶ,

ସୁଉଚ୍ଚ ଅଟ୍ଟାଳିକାର ପାଉଁଶ

ରାତିର ସେଇ ନୀରବତାକୁ, 

ଯୁଦ୍ଧର ସେଇ ଭୟଙ୍କର ସାଇରନ ଛାତିରେ ଛନକା ପଶୁଛି।

ସହର ଏବେ ଅଣ୍ଟା ସଳଖି ଚାଲିପାରୁନି

ବିରାଟ କାୟ ଇମାରତ ମୁହୂର୍ତ୍ତ କରେ ଧ୍ବଂସ ହେବା ପରି

ଗୁରୁଣ୍ଡି ଗୁରୁଣ୍ଡି କାହାର ସାହାରା ଖୋଜୁଛି

ଆଉ ଏକାକାର ହେଇଯାଉଛି।

ହେଲେ ସେ କଣ ଜାଣିପାରୁନି,

ତାକୁ ପଛରୁ ଧକ୍କା ଦେଇ ଠେଲି ଦିଆଯାଇଛି

ନିଃଶେଷ ହେବା ପାଇଁ

ଏଇ ତ ସେଇ ଇମାରତ ଯେତେବେଳେ ତଳେ କଚାଡି ହୋଇ ପଡ଼ିଲା

କେତୋଟି ଜିଅନ୍ତା ଶରୀରକୁ ଗିଳିଦେଲା

ଚିପି ଧରିଲା ସେମାନଙ୍କର ଦୁକ୍ ଦୁକ୍ ସ୍ପନ୍ଦନକୁ

ରକ୍ତାକ୍ତ ହାତ ଗୋଟି ଗୋଟି ଦିଶୁଛି ତା ଭିତରୁ

ସତେ ଅବା ଏବେବି ଡାକୁଛି ସେଇ ଭଗ୍ନ ଲୁହାଛଡ଼ ଭିତରୁ ଟାଣି ନେବାକୁ

ଆକାଶ ଲାଲ୍ କୁହୁଡିରେ ଘୋଡେ଼ଇ ହୋଇଛି

ହେଇ ଏବେ ଏବେ ପବନରେ ଭାସି ଆସୁଛି କାହାର ଚିତ୍କାର

ଗୋଳାବାରୁଦର ଅଣନିଃଶ୍ବାସୀ ବାସ୍ନା

ଆଉ ଲାଲ୍ ରକ୍ତର କୁହୁଡି ସଦୃଶ୍ୟ ଛିଟା।

                               


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍