ନଈର ଆକୁଳତା
ନଈର ଆକୁଳତା
ତୁମେ କି ଗୋ ସେଇ ନଈ
ଯା କୂଳ ମୋର ବାଲ୍ଯକାଳ
ଥିଲା ଚାରଣ ଭୂଇଁ ।
ଖେଳିଛି କେତେ ନଦୀ ପଠାରେ
ମିଛି ମିଛିକା ବାଲି ଘlଟରେ
ଘରଟେ ଗଢି ଦେଇ ।
ଡୁଙ୍ଗୀ ରେ ବସି ଆହୁଲା ମାରି
ଅଥଳ ଜଳେ ହୋଇଛି ପାରି
ହିସାବ ତାର ନାହିଁ ।
ମଙ୍ଗ ରେ ବସି ଧରିଛି କାତ
ଗାଇଛି ଯେତେ ଅଭୂଲା ଗୀତ
ପବନ ସାଥୀ ହୋଇ ।
ବୁଡି ବୁଡିକା ଚିତି ପହଁରା
ନଈ ଗାଧୁଆ ଅତଡା ଢିଆଁ
ସ୍ଵପ୍ନରେ ଉଠେ ଚେଇଁ ।
ରୁପେଲି ମାଛ ସୁନେଲି ଖରା
ମୋ ହାତେ ଯେବେ ଦିଅନ୍ତି ଧରା
ଆଜି ସେ ବେଳ କାହିଁ ।
କାଖେ କଳସୀ ଚାଲେ ଅଳସୀ
ଗାଧୁଆ ତୁଠେ ନୂଆବୋହୂ ଟି
ମୁଣ୍ଡେ ଓଢଣା ଦେଇ ।
ପାଉଁଜି ସୁରେ ଅଳତା ଧାରେ
ଦେହକୁ ମାଜି ତୁଠପଥରେ
ହସେ ହଳଦୀ ମୁହିଁ ।
କୁଆଁ ତାରାର ଟିକେ ଝଲକ
ସାଧବାଣୀ ର ସଧବା ବେଶ
ଡଙ୍ଗlଭସା ପୁନେଇଁ ।
କଳରବରେ କୂଳନlଦିନୀ
ବିହଙ୍ଗ ଗୀତ ମାଝୀ ମେଲାଣି
ଅସ୍ତସୂର୍ଯ୍ୟ ର ଛାଇ ।
କିଆ କେତକୀ କାଶତଣ୍ଡୀ ରେ
ଛବିଳ ଶୋଭା ଯା ତୀରେ ତୀରେ
ରହିଛି ସ୍ମୃତି ହୋଇ ।
ପୁନେଇଁ ରାତି ନୌକାବିହାର
ଖିଆଲି ମନ ଯୌବନର
ଆବେଗ ହଜେ ଯହିଁ ।
ହଜିଛି ଆଜି ଶିରୀ ତାହାର
ନାହିଁ ସେ ଦିନ ସେ ସ୍ଵଚ୍ଛ ନୀର
ଦିଶେ ଶୁଖିଲା ଦେହୀ ।
କୁଳୁକୁଳୁ ତା ସଲିଳ ଧାର
ରୋଧିଛି ନର ଅଗ୍ରଗତିର
ସମ୍ଭାବ୍ୟ ଦ୍ବାହି ଦେଇ ।
ଶୋଷଣ ଭାରେ ଅତିଷ୍ଠ ଆଜି
ମାଟି ତଳରେ ଯାଉଛି ହଜି
ନିର୍ଯ୍ୟାତିତl ହୋଇ ।
ପ୍ରଦୂଷଣରେ ଯେ ପରାହତ
ପ୍ରକୃତି ପଥେ ସେ ଭାରାକ୍ରାନ୍ତ
ଡାକଇ ତ୍ରାହି ତ୍ରାହି ।
ଆକୁଳ ତାର ଆର୍ତ୍ତ ଚିତ୍କାର
ଅନୁଭବର ଅନ୍ତସ୍ଵର
ମରମେ ଗୁଞ୍ଜରଇ ।