ନେତାଜୀଙ୍କ ଜନ୍ମଜୟନ୍ତୀ ଅବସରରେ।
ନେତାଜୀଙ୍କ ଜନ୍ମଜୟନ୍ତୀ ଅବସରରେ।
ଅଫୁରନ୍ତ ଶକ୍ତି
ଆଲୋକର ଦ୍ୟୁତି
ଭାରତର ଯୁବରାଜ,
ଅଖଣ୍ଡ ଭାରତ
ସର୍ବମାନ୍ୟ ନେତା
ଓଡ଼ିଶାରେ ଆବିର୍ଭାବ ।୧।
ବୀର ପ୍ରସବିନୀ
ଉତ୍କଳ ଜନନୀ
ତା କୋଳେ ଥିଲ ଜନମି,
ସମଗ୍ର ବିଶ୍ଵକୁ
ଚମକାଇ ଥିଲ
ଭାରତମାତାଙ୍କ ମଣି ।୨।
ଅଦମ୍ୟ ସାହସୀ
ଭାର ପ୍ରାଣଶକ୍ତି
ପ୍ରଚଣ୍ଡ ପ୍ରତିଭାଧାରୀ,
ବୀର ପରାକ୍ରମୀ
ଗୁଣୀ ସ୍ଵାଭିମାନୀ
ନଥିଲେ କାହାକୁ ଡରି ।୩।
କଟକ ସହର
ଓଡିଆ ବଜାର
ହୋଇଅଛି ଆଜି ଧନ୍ୟ,
ଭାରତ ଆଧାର
କଟକ ନଗର
ବିବିଧତା ପରିପୂର୍ଣ୍ଣ ।୪।
ମାତା ପ୍ରଭାବତୀ
ଜାନକୀ ନାଥଙ୍କ
କୋଳ କରିଲ ମଣ୍ଡନ,
ଜାନୁୟାରୀ ମାସ
ତେଇଶ ତାରିଖ
ଥିଲା ତ ଶୁଭଲଗନ ।୫।
ମିଶି ଭଗ୍ନୀ ଭ୍ରାତ
ଥିଲ ତୁମେ ଆଠ
ଥିଲ ଟିକେ ଅଭିମାନୀ,
ପିତୃ ସ୍ନେହ ଊଣା
ପଡୁଥାଏ ଜଣା
ପିତାଙ୍କୁ ବେଳ ମିଲେନି ।୬।
ଶ୍ରୀ ବେଣୀମାଧବ
ଶିକ୍ଷକ ଗୌରବ
ଥିଲେ କର୍ତ୍ତବ୍ୟ ପରାୟଣ,
ତାଙ୍କର ଆଦର୍ଶ
କଲା ପ୍ରଭାବିତ
କରିଲ ଅନୁକରଣ ।୭।
ଶ୍ରୀ ବିବେକାନନ୍ଦ
ସନ୍ଥ ବିଶ୍ଵବନ୍ଦ୍ୟ
ତାଙ୍କର ଅଭିଭାଷଣ,
ରାମକୃଷ୍ଣ ବାଣୀ
ନେଲା ମନ ଜିଣି
କରିଲା ସ୍ଵଦେଶ ପ୍ରାଣ ।୮।
ସେ ପ୍ରତିଭାବାନ
ଉଚ୍ଚ ତାଙ୍କ ସାଧନ
ସେ ପ୍ରବୃଦ୍ଧ ବୁଦ୍ଧିଯୁକ୍ତ,
ତାଙ୍କର ପ୍ରତ୍ୟୟ
ବିଶ୍ଵାସ ଉପାୟ
ଉତ୍କର୍ଷ ଗୁଣୀ ପଣ୍ଡିତ ।୯।
ପ୍ରାଥମିକ ଶିକ୍ଷା
ଲଭିଲ କଟକେ
ଯାଉଥିଲ ବିଦ୍ଯାଳୟ,
ଗରୀବ ଲୋକଟେ
କାନ୍ଦୁଥିଲା ବାଟେ
ଦୁଃଖରେ ହେଲ ଅଥୟ।୧୦।
ଖାତା ପତ୍ର ବହି
ବିକ୍ରି କରିଦେଇ
ପ୍ରାପ୍ତ ହେଲେ କିଛି ଅର୍ଥ,
କାନ୍ଦିବା ଲୋକଙ୍କୁ
କରିଲ ପ୍ରଦାନ
ପୋଛିଲ ତାର ଲୋତକ।୧୧।
କଟକ ସହରେ
ବ୍ଯାପିଲା ବସନ୍ତ
ଭୟାନକ ସଂକ୍ରାମକ,
ନ ଡରି ରୋଗକୁ
କଲ ରୋଗୀ ସେବା
ବାଳୁତ ବେଳ ମହକ।୧୨।
ପିତାଙ୍କ ସନ୍ତୋଷ
ପାଳିଲେ ଆଦେଶ
ଗଲେ ସେ ବିଲାତ ଦେଶ,
ମାତ୍ର ଆଠ ମାସ
ବନିଲେ ଆଇଏସ
ସକଳ ମଧ୍ୟେ ଉତ୍କର୍ଷ ।୧୩।
ଫିରିଙ୍ଗି ଅଧିନେ
ନ କରିବି କର୍ମ
କଲେ ତାକୁ ପ୍ରତ୍ୟାଖ୍ୟାନ,
ଫେରିଲେ ଭାରତ
ଗାନ୍ଧୀଙ୍କୁ ସାକ୍ଷାତ
ଭେଟିଲେ ଚିତ୍ତରଞ୍ଜନ ।୧୪।
ଦେଶାତ୍ମ ବୋଧକ
କବିତା ଲେଖକ
ଶର ଚନ୍ଦ୍ର ଦେଶଭକ୍ତ,
ବଙ୍ଗଳା ରାଇଜେ
ଲୋକ ପ୍ରିୟ କବି
ବ୍ରଟିଶ କଲା ଗିରଫ।୧୫।
ସରକାର କଥା
ଦେଲା ତାଙ୍କୁ ବ୍ଯଥା
ଆଣିଲେ ତାଙ୍କୁ ଜାମିନ,
ଦେଶ ପ୍ରୀତି କଥା
ମାଟି ପ୍ରେମ ଗାଥା
ହୁଅଇ ଏଥୁ ଉଜାଣି।୧୬।
କଲିକତାରେ ମୁଁ
ହେବି ଝାଡୁଦାର
ସେଥିରେ ଗରବ ମୋର,
ଫିରିଙ୍ଗି ଅଧୀନେ
ପଦ ଲୋଭ ଧନେ
ହେବି ନାହିଁ ଅଫିସର।୧୭।
ଗାନ୍ଧୀଙ୍କ ସହିତ
ହେଲା ମତଭେଦ
ଏହା ଆଦର୍ଶ ବିଚାର,
ଗାନ୍ଧୀଙ୍କୁ ସମ୍ମାନ
ନୀତି ସମର୍ଥନ
ନଥିଲା ତ ମତାନ୍ତର ।୧୮।
ମୋହନ ମହାତ୍ମା
ସେ ରାଷ୍ଟ୍ରର ପିତା
ସୁବାଷଙ୍କ ସମ୍ବୋଧନ,
ଦେଶ ଯୁବରାଜ
ଅଟନ୍ତି ସୁବାଷ
ମହାତ୍ମା କଲେ ବୋଧନ ।୧୯।
ବିଦେଶରେ ଥାଇ
ବାଛିଲା କଂଗ୍ରେସ
ଦେଲ ସଭାପତି ପଦ,
ସକଳେ କନିଷ୍ଠ
ପଦ ହେଲା ଶ୍ରେଷ୍ଠ
ନଥିଲା କିଛି ବିବାଦ।୨୦।
ଦ୍ଵିତୀୟ ପର୍ଯ୍ୟାୟ
ସଭାପତି ପଦ
ଲଢିଲେ ସେ ନିର୍ବାଚନ,
ଗାନ୍ଧୀଙ୍କର ବିନା
ଉଡାଇଲେ ବାନା
ଦେଶେ ଥିଲା ସମର୍ଥନ ।୨୧।
ଫରୱାର୍ଡ ବ୍ଲକ
ଗଠନ କରିଲେ
ଏକ ବିପ୍ଲବର ଧାରା,
କେବେ ସ୍ଵାଧୀନତା
ମାଗିଲେ ମିଳେନା
ଛଡାଇ ଆଣିବା ସାର ।୨୨।
ଅରିର ବଇରି
ମଇତ୍ର ଆମରି
ଏକଥା ମନେ ଚିନ୍ତନ
ବ୍ରିଟିଶ ବଇରି
ବିଶ୍ବେ କେନ୍ଦ୍ର ଶକ୍ତି
ହିଟଲର ମୁସୋଲିନ୍।୨୩।
ବାହ୍ଯ ବଳବିନା
ବ୍ରିଟିଶ ଦମନ
ଭାବି ଅସମ୍ଭବ କଥା,
ମିତ୍ର ଶକ୍ତି ସାଥ
ମିଳାଇଲେ ହାତ
କେତେ ବୁଦ୍ଧିମାନ ମଥା।୨୪।
ରଖିଲେ ନଜର
ଗୋରା ସରକାର
କରିଲେ ନଜର ବନ୍ଦୀ,
ମିଥ୍ଯାର ଆକ୍ଷେପ
କଲେ ଦୋଷାରୋପ
ମାମଲାରେ ଦେଲେ ଛନ୍ଦି।୨୫।
ଭାରତକୁ ଛାଡି
ଗଲେ ସେ ବାହାରି
ଆଜାଦ ହିନ୍ଦ ଗଠନ,
ରକ୍ତ ମୋତେ ଦିଅ
ସ୍ଵାଧୀନତା ନିଅ
ଥିଲ ଚରମ ବଚନ ।୨୬।
ମଉଲବି ବେଶ
ହୋଇଲେ ସୁବାଷ
ଘରୁ ହୋଇଲେ ବାହାର,
ଗଲେ ଗୁପ୍ତ ହୋଇ
ନଜାଣିଲେ କେହି
ରେଳେ ଗଲେ ପେଶାଓର।୨୭।
କାବୁଲରେ ଯାଇ
ଡ୍ରାଇଭର ହୋଇ
ଛଦ୍ମ ବେଶ କିଛି ଦିନ
ରୁଷିଆ ଦେଇଣ
ଗଲେ ସେ ଜର୍ମାନ
ହିଟଲରଙ୍କ ଶାସନ।୨୮।
ଜର୍ମାନ ଶାସକ
ବିଶ୍ବରେ ବିଦିତ
ଆଡଲଫ୍ ହିଟଲର,
ସମ୍ମୁଖରେ ବସି
କହିଲ ସାହସୀ
ସହାୟତା ମୋତେ କର।୨୯।
ଦେଖିଣ ସାହାସ
ଜର୍ମାନ ଶାସକ
କରିଲେ ମନେ ତାରିଫ,
ଇୟୁ ବୋଟ ଦେଇ
ଦେଲେ ସେ ପଠାଇ
ଯିବାକୁ ଜାପାନ ଦେଶ।୩୦।
ଇଟାଲି ରାଇଜେ
ଅସୁସ୍ଥ ହୋଇଲେ
ଲଭି ଉଦର ଯନ୍ତ୍ରଣା,
କରିଲେ ଚିକିତ୍ସା
ବିଦେଶୀ ସେବିକା
ରୂପ ଗୁଣ ମନଜିଣା।୩୧।
ସେବା ପ୍ରେମ ବଳେ
ସୁସ୍ଥତା ଲଭିଲେ
ଦୁହେଁ ହୋଇଲେ ମିଳନ,
ଦୁହିତା ରତନ
ଅନୀତା ତ ନାମ
ଔରଷୁ ହେଲା ଜନମ।୩୨।
ମାଲେସିଆ ବନେ
ଭେଟିଲେ କ୍ୟାପ୍ଟେନ
ବୀର ବର ମୋହନ ସିଂ,
ଜଙ୍ଗଲରେ ରହି
ଫଳମୂଳ ଖାଇ
ଦୁଃଖ କଷ୍ଟେ ଥିଲେ ରହି।୩୩।
ରାସ ବିହାରିଙ୍କୁ
ସାକ୍ଷାତ ଜାପାନେ
ଖୋଜୁଥିଲେ ମନେମନ,
ମୋହନ ସୁବାଷ
ତାଙ୍କ ସହ ରାସ
ଆଜାଦ ହିନ୍ଦ ଗଠନ।୩୪।
ମୋତେ ରକ୍ତ ଦିଅ
ସ୍ବାଧୀନତା ନିଅ
ତାଙ୍କର ଚରମ ବାଣୀ,
ଗୋରା ସରକାର
ହେଲା ଥରହର
ଜାଣି ଏପରି କାହାଣୀ।୩୫।
ସ୍ଵାଧୀନ ଭାରତ
ଉଦିତ ତପନ
ହେଲେ ସେହି ଅବିହିତ,
ରେଙ୍ଗୁନ ଦଖଲ
ଉଡାଇ କେତନ
ଦେଶକୁ କଲେ ପ୍ରଣିପାତ ।୩୬।
ଜାପାନରେ ବୋମା
ଜଳେ ହିରୋସୀମା
ନାଗାସାକି ହେଲା ଧ୍ଵଂସ,
ଜାପାନ ଜର୍ମାନ
ହାରିଲେ ଯୁଦ୍ଧରେ
ସବୁ ହେଲା ଧୂଳିସାତ ।୩୭।
ଦାରୁଣ ଦଇବ
ଦେଲ ପରାଭବ
ଦୁଃଖ ପରେ ଦେଲେ ଦୁଃଖ,
ଉଡ଼ିଲା ବିମାନ
ଜଳିଣ ପତନ
ସୁବାଷ ହେଲେ ଆହତ ।୩୮।
ଦେଶବାସୀ ପାଇଁ
ବାର୍ତ୍ତା ଥିଲେ ଦେଇ
ଜୀବନ ଅନ୍ତିମ କ୍ଷଣେ,
ମୁକତି ସଂଗ୍ରାମ
ଆଗକୁ ବଢିବ
କେହି ନ ହଟିବ ଜଣେ ।୩୯।
ରେ ଓଡିଆ ପୁଅ
ଅନନ୍ୟ ନାୟକ
ଅଦମ୍ୟ ସାହସୀ ବୀର,
ଚିର ଭାସ୍କର
ନାମଟି ତାଙ୍କର
ସାହସର ଗନ୍ତାଘର ।୪୦।
ସ୍ଵାଧୀନ ଭାରତେ
ସେ ଯଦି ଥାଆନ୍ତେ
ଘଟିଥାନ୍ତା କିଛି ନୂଆ,
ହୋଇ ଦାଉ ଦାଉ
ଓଡିଆଙ୍କ ଭାଉ
ବଢିଥାନ୍ତା ମାଟି ନାଆଁ।୪୧।
ମୁଁ ଜଣେ ଓଡିଆ
ଇଷ୍ଟ ଜଗନ୍ନାଥ
କଟକ ମୋ ଜନ୍ମ ଦେଶ,
ଉତ୍କଳ ଗୌରବ
ଶ୍ରୀ ମଧୁସୂଦନ
ଉତ୍କଳ ମଣି ମୋ ଆଦର୍ଶ ।୪୨।
ଜଗନ୍ନାଥ ଗୀତ
ଭଜନ ସଙ୍ଗୀତ
ଶୁଣି ହୁଅନ୍ତି ସେ ତୋଷ,
ଧନ୍ଯହେ ସୁବାଷ
ଧନ୍ଯ ତାତମାତ
ରଖି ଗଲ ବୀର ଯଶ।୪୩।
ଜନ୍ମ ଜୟନ୍ତୀରେ
ପ୍ରଣିପାତ କରେ
ନେତାଜୀଙ୍କ ପାଦତଳେ,
ହୁଅ ହେ ସାହସୀ
ହେ ଉତ୍କଳ ବାସୀ
ଦାରୁବ୍ରହ୍ମ ଭୁଜ ତଳେ।୪୪।
