ନଦୀ ପରି ନାରୀ
ନଦୀ ପରି ନାରୀ
ପାହାଡ଼ କୋଳରୁ ଫିଟି ନିର୍ଝରିଣୀ ପରି
ବହି ଚାଲିଛି ଯେ ଚାଲିଛି
ଦୁଃଖର ଅମଡା ବାଟରେ, କଣ୍ଟା କଂକରିତ ପଥରେ
ମୁଁ ଅବିରତ ଧାଇଁଛି ।
ତୁମ ସ୍ନେହରେ କେଉଁଠି ହୋଇପଡିଛି ପବିତ୍ର ଗଙ୍ଗା
କେଉଁଠି ଯମୁନା, କଷଣର ବାଲିଚରରେ ସରସ୍ଵତୀ
ପରି ଲୀନ ହୋଇଯାଇଛି ।
ତଥାପି ମୋ ଦୁଇ କୁଳର ,ଦୁହିତାର ପ୍ରସାରିତ ବାହୁରେ
ତୁମକୁ ଆଲିଙ୍ଗନ କରିଛି
ତୁମ ଛଳନା, ନିର୍ଯ୍ୟାତନା, ଲାଂଛନା , ପ୍ରବଂଚନାର
ନାଗଫାଶ ବନ୍ଧନର ହଳାହଳ ବିଷକୁ
ଆକଣ୍ଠ ପାନ କରି ମୁଁ ପାଲଟିଛି ମନ୍ଦାକିନି ।
ସେମିତି ଚାଲିଛି ଛନ୍ଦାୟିତ ସୁରରେ ତୁମ ମରୁ
ହୃଦୟରେ ମରୁଦ୍ୟ।ନ ହେବାକୁ ।
ଯେତେ ଦୁଃଖ ଗ୍ଲାନିରେ ପୋତିଦିଅ ଅବା
ଦିଅ କଳଙ୍କ କଜ୍ବଳ, ସବୁ ଧୋଇନେବି ପ୍ରେମର ଫଲଗୁରେ
ବହି
ଚାଲିଥିବି, ବାହି ଚାଲିଥିବି ତୁମ ଜୀବନ ନୌକା
ଆବିଳତା ହୀନ ଧର୍ମର ତରୀରେ ।
ଦୁଃଖରେ ତ ମୁଁ ସର୍ବଂସହା, ପାରିଲା ପଣରେ ସମ୍ପୂର୍ଣ୍ଣା
ସ୍ନେହ ସରାଗରେ ମମତା, ହସରେ ଶାମୁକା ଖୋଳର ମୁକୁତା
ଆଉ ସମ୍ପର୍କର ସେତୁରେ ଦୁହିତା ।
ତୁମ ଦୀପାଳିର ସଳିତା,କବିର କବିତା, ପ୍ରେମୀର ପ୍ରତୀକ୍ଷା
ତୁମ ଆଶାର ବୈତରଣୀ, ପ୍ରଣୟର ସଂଗିନୀ ,ସାଗରର ତରଙ୍ଗିନୀ
ଅନୁଭବର ମୋହିନୀ, ସନ୍ତାନ ସୃଷ୍ଟିକାରିଣୀ
ନିରୋଳା ପ୍ରେମର ଚାତକିନି,ସୁଖ ସମ୍ପତ୍ତିର କମଳିନୀ ।
କାରଣ ଏ ଜନ୍ମ ମୋର ନଦୀ ପରି ବହିଚାଲେ ତୁମରି ପାଇଁ
ତଟିନୀ ପରି ବହି ବାହି, ନିଜକୁ ସମର୍ପି ଦେବା ପାଇଁ ଆଉ
ତୁମ ସୀମାହୀନ ସାଗରେ ଲୀନ ହୋଇଯିବା ପାଇଁ ।
ଜୟଶ୍ରୀ ପଟ୍ଟନାୟକ
ମଧୁସୂଦନ ନଗର, ଜଟଣୀ
ଖୋର୍ଧା