ନବାଙ୍କୁର
ନବାଙ୍କୁର
କବିତା - ନବାଙ୍କୁର
ରଚନା - ପଞ୍ଚାନନ ଜେନା
ତାରିଖ -୧୨-୦୭-୨୦୨୬
++++++++++++++++
କୁହ ତ ....
ତୁମର ପୋଟଳଚିରା
ବେନି ନୟନକୁ ଦେଖି
ଯଦି
ମୋର ବାଉଳା ବାତୁଳା
ମନ ଚୈତନ
ପ୍ରେମକରି ବସେ
ତେବେ
ଦୋଷ କାହାର
ଅପରାଧି କିଏ?
ତେବେ
ଭୂଲ କାହାର
ଦଣ୍ଡ ପାଇବ କିଏ ?
ସତ କୁହ ତ....
ମୋ ତୁଷାର୍ତ୍ତ କ୍ଷୁଧାର୍ତ୍ତ ନଜର
ପଢ଼ି ପକେଇଲା
ତୁମ ଆଖିବହିର ଗୁପ୍ତ ଖବର
ମୋ ଚଞ୍ଚଳ ଚିତ୍ତଚୋର ନଜର
ବୁଝି ପକେଇଲା
ତୁମ ଆଖି ଆଇନାର ସୁପ୍ତ ପ୍ରଚାର
ତେବେ
ଦୋଷ ପ୍ରୟୋଗ ହେବ କାହା ଭାଗରେ ?
ଅକାଟ୍ୟ ସତ କୁହ ତ.....
ଶଶିର ଶୀତଳ କିରଣରେ
ଚକୋର -ଚକୋରୀ ମୋହିତ ହୁଅନ୍ତି
ରାତିସାରା ମେଳିକେଳିରେ ବ୍ୟସ୍ତ ହୁଅନ୍ତି
ତେବେ
ଦୋଷ ମୁଣ୍ଡେଇବା କାହା ମୁଣ୍ଡରେ ?
ତ୍ରୀବାର ସତ କୁହ ତ ---
ଯଦି ସୁମନ ଆଗନ୍ଧେ ସୁଗନ୍ଧେ
ମତ୍ତ ପାଗଳ ହୁଏ ସେନ୍ତରା ଭ୍ରମର
ଉଡିବୁଲେ ଫୁଲେ ଫୁଲେ ବାଣ୍ଟି ବାଣ୍ଟି ପ୍ରେମ ଚନ୍ଦନ
ଆଉ ଆଙ୍କେ ଗାଢ଼ ପ୍ରଗାଢ ଚୁମ୍ବନ ପରେ ଚୁମ୍ବନ
ତେବେ
ଦୋଷ ଲଦି ଦେବା କାହା ପିଠିରେ ?
ତୁଣ୍ଡରେ ସତ କୁହ ତ....
ଆଷାଢ଼ର ପ୍ରଥମ ଝପା ବର୍ଷାରେ
ଶୁଖିଲା ଫାଟିଲା ମାଟି ମହକି ଉଠେ ହର୍ଷରେ
ତେବେ
ଦୋଷ ବୋଳିଦେବା କାହା ତୁଣ୍ଡରେ ?
ଆଖିରେ ସତ କୁହ ତ ...
ତୁମ କଜଳ ପାତିଆ ଆଖି ପରା
ଅନନ୍ତ ସାଗର ମହାସାଗର
ଥରେ ବୁଡ଼ ମାରିଲା ପରେ
ଥରେ ବୁଡି ଗାଧୋଇବା ପରେ
ଥରେ ଘଷି ମାଜିବା ପଖାଳିବା ପରେ
ଇଛା ହେଉନାହିଁ
ମୁଁହ ଟେକିବାକୁ ଏପଟ ସେପଟ
ମୁଣ୍ଡ ଉଠେଇବାକୁ ବାଁପଟ ଡାହାଣପଟ
କୂଳ ଖୋଜିବାକୁ ନାହିଁ କର୍ମ ତତ୍ପର ନିଷ୍କପଟ
ନୀରବ ସତ କୁହ ତ ....
ତୁମ ମୃଗିଣୀ ଚାହାଁଣୀ କହିପାରେ
ଅନାୟାସେ ଅସରନ୍ତି କାହାଣୀ
ନୀରବେ ବାଣ୍ଟିପାରେ
ଅତର ଭିଜା ପ୍ରେମପତ୍ର ରାଗିଣୀ
ମୋ ସ୍ପନ୍ଦିତ ହୃଦୟ
କେବଳ
ସ୍ୱତଃସ୍ଫୁର୍ତ୍ତ ପଢ଼ିପାରେ
ଭସେଇ ଦେଇ ତରଣୀ
ମାନିବ ତ ସତ ବି କହିବି ...
ମାନିନେବ ତ ଅକାଟ୍ୟ ସତ୍ୟ ବି ବାଢିଦେବି...
ଦୋଷ
ନା ତୁମ ଆୟତ ଆଖିର
ନା ମୋର ଆତୁର ଇଚ୍ଛାର
ଦୋଷ କେବଳ
ଆମ ଦୁହିଁଙ୍କର ହସନ୍ତ ବୟସ
ଯୌବନାଦୀପ୍ତ ଘୁମନ୍ତ ରତି-ପୁରୁଷ
କନ୍ଦର୍ପ ଦେବ ବିନ୍ଧିଛନ୍ତି ଜାଣିଶୁଣି
ପ୍ରେମସର ହୋଇଣ ଭୀଷଣ ହରଷ
ସୃଷ୍ଟି ସର୍ଜନା ସକାଶେ ନବାଙ୍କୁର ଉନ୍ମେଷ

