ମୁଁ ପ୍ରବାସୀ ମଜଦୁର
ମୁଁ ପ୍ରବାସୀ ମଜଦୁର


ମୁଁ ପ୍ରବାସୀ ମଜଦୁର,
ମୁଁ ସର୍ବଦା ମଜବୁର୍
ମୋ ଝାଳରୁ ବାହାରେ
ସଂସାରର ପଖାଳ,
ମୋ ମୁଣ୍ଡର ଝାଳ
ଲାଗେ ମୋ ତୁଣ୍ଡରେ ଲୁଣିଆ,
ଏବେ ମୁଁ କିନ୍ତୁ ଅଗଣା ଅଜଣା।
ମୁଁ ଶୁଏ ଭଙ୍ଗା-ଦଦରା
ଝୁମ୍ପୁଡି ରେ, ହେଲେ
ଗଢେ଼ ଅଟ୍ଟାଳିକା,
ପେଟକୁ ମିଳେନି ପୌଷ୍ଟିକ ଆହାର
ତଥାପି ଥମେନି ମୋ ସଂଗ୍ରାମ।
କେବେ ମୁଁ ପାଲଟିଯାଏ ଦାଦନ
ଆନ୍ଧ୍ରା ର ଇଟା ଭାଟିରେ,
ମାଲିକର ରକ୍ତଯବା ମୁହଁ ଓ ଆଖି
ମୋ ଝାଳ ହିଁ ସେଇଠି ସାଖି।
କେବେ ଖଟି ଖଟି ଟଙ୍କା ନାହିଁ ତ
କେବେ ଭୋକରେ ଅନ୍ତୁଡି ଟାଣି ଓଟାରି ।
ଶୁଖିଯାଏ,
କେବେ ବେଠି ଖଟିବାର
ସାହସ କରି ସହିଛି
ଲାତ, ଲାଠି ଓ ଚାବୁକ୍ ।
ହାତାଶର ରେଖା ମୋ ମଥାରେ ନାହିଁ
କାରଣ ସିଏତ ମୋଠୁଁ ପରାସ୍ତ,
ଦୂରୁ କରେ ମୋତେ ଦଣ୍ଡବତ।
ପଥର କଚାଡି ବି
କେବେ ମୋ ଛାତି
ଦଦରା ହୋଇନି
କାରଣ,
ଭୀମର ଗଦାଠୁଁ ବି ଶକ୍ତ,
ଖରାର ତେଜରୁ ଆଉ ତେଜିଆନ୍।
ମୋ ପଦରେ ଅଛି
ଅସୁମାରୀ ଶକ୍ତି
ତତଲା ବାଲିରେ ସିଝା ଇଏ,
ଚାଲି ଚାଲି ଯାଇପାରେ
ମୁମ୍ବାଇ ରୁ ଉତ୍ତର ପ୍ରଦେଶ।
ଗୋଡ଼ ସିଝେ କେବେ
ପଂଜାବର କାଦୁଅ କ୍ଷେତରେ,
ଅନ୍ନପୂର୍ଣ୍ଣା ହୁଏ ପ୍ରସନ୍ନ
ଅନ୍ନର ଅଭିସମ୍ଭାରରେ।
ସଂସାରରେ ସକାଳର ଚା
ମୋ ମେହନତ୍ ରେ ଫୁଟି ଉଠେ
ଆସାମର ବଗିଚାରେ।
କଳକାରଖାନାର ଧୂଆଁରେ
ମୁହଁ ହୁଏନି କଳା,
କାରଣ ମୋ ଦେହ
ରଂଜା ଦିଆ ଶିଶୁକାଠ।
ମୋ ରକ୍ତର ପୁଞ୍ଜି
ଗାଁ ମାଟିର ଭରସା,
ସଂଚାରି ଗଢେ ଜୀବନର
ଅହେତୁକ ସ୍ୱପ୍ନ ର ସଉଧ।
ମୋ ସଂଜ୍ଞା ର ହିସାବ କରିବାରେ
ଲାଗି ପଡେ ଦଲାଲ ଓ ନେତା,
ମୋ ମାଂସାଳ ଗଣ୍ଡିକୁ ଭାଗ ବାଣ୍ଟିବା ରେ।
ମୋର ବା କିଏ ଭରସା
କେବେ ପେଟରେ ଦାନା ଯାଏ ତ
କେବେ ପୁଣି ଓଦାକନା,
ଜଗନ୍ନାଥେ ଜାଣନ୍ତି ମୋ ଦୁର୍ଦ୍ଦଶା।
ମୁଁ ପୁଣି ପୁଡିଆରେ ବନ୍ଧା ହୋଇ
ଆସେ ଆମ୍ବୁଲାନ୍ସ ରେ
ଘରର ଦଦରା କାନ୍ଥର କୋଣରେ
ଜାକି ହୋଇ କାନ୍ଦୁଥିବା ମାଆର
କୋଳକୁ,
ଏଇଠି ମୁଁ ପରିଚୟ ଦିଏ ,
ମୁଁ ଏକ ପ୍ରବାସୀ ମଜଦୁର,
ମୁଁ ସର୍ବଦା ମଜବୁର।।