STORYMIRROR

Jyotshna Rani Sahoo

Romance Classics Fantasy

3  

Jyotshna Rani Sahoo

Romance Classics Fantasy

ମତେ ଭଲଲାଗେ ବୋଲି

ମତେ ଭଲଲାଗେ ବୋଲି

1 min
150


ମୁଁ ଚାଲିଚାଲି ରହିଯାଏ

ଅଧଡ଼ ରାସ୍ତାକୁ ସୀମାନ୍ତ ଭାବି

ତୁମେ ଆସିବ ବୋଲି

ମତେ ମୋ ଭୁଲ୍ ଅବଗତ କରେଇ

ଟାଣିନେବ ନିଝୁମ୍ ରାତି କୋଳେ

ଦେଖେଇ ଦେବ ବଳୟ

ଆକାଶ ଆଉ ପୃଥିବୀ ଭିତରେ।


ଦିନଠୁ ବେଶୀ ଚକଚକ୍ କରେ

ଏକ ସରୁ ଗାର

ନା ପୂର୍ଣ୍ଣଚ୍ଛେଦ ନା ସୀମା

ମତେ ଶିଖେଇ ଦେବ

ଉଦାହରଣ ସହିତ ସମ୍ପର୍କର ଉପପାଦ୍ୟ।


ମତେ କଣ ଚାଲିବା ମାଲୁମ୍ ନାହିଁ?

ମୁଁ କଣ ଜାଣେନି ବାଟ ଆଉ

ଅମଡ଼ା ବାଟ ଭିତରର ତଫାତ୍?

ମତେ ଭଲଲାଗେ ତୁମ ଆକଟ

ତୁମ ଜ୍ଞାନର ପରିସୀମା

ମୋ ପ୍ରେମର ବିସ୍ତୀର୍ଣ୍ଣ ସୀମା।


ଚାଲିବାଠୁ ମୁଁ ବେଶୀ ପସନ୍ଦ କରେ

ସେଇ ମୁହୂର୍ତ୍ତ

ଯେଉଁଠି ତୁମେ ମୋ ହାତ ଧର

ଜୀବନର ବର୍ଣ୍ଣମାଳା ଶିଖାଇବା ପାଇଁ

ଆଉ ମୁଁ ଯେ ଉପନ୍ୟାସ ଲେଖି ସାରିଲିଣି।


ମତେ ଭଲଲାଗେ

ବୟସର ପହିଲି କିରଣ

ପାର କରିସାରିଲା ପରେ ମଧ୍ୟ

ତୁମ ସାମ୍ନାରେ ନୀର୍ମୋହ ଶିଶୁଟିଏ ହବାକୁ

ବାଟୁଳି ବାଜୁ ନଥିବା

ମୋ କଥା କୁହା ଓଠରେ

ତୁମେ ମତେ ଶିଖେଇ ଚାଲିବ

ଓଷ୍ଠ୍ୟ, ଦନ୍ତ୍ୟ, ମୂର୍ଦ୍ଧନ୍ୟ, କଣ୍ଠ୍ୟ

ଇତ୍ୟାଦି ବ୍ୟଞ୍ଜନ ବର୍ଣ୍ଣ।

ମତେ ଭଲଲାଗେ

ସବୁ କଥା ନକହିବା ଆଗରୁ

ବୁଝି ଯାଉଥିବା ଝିଅ

ତୁମ ପ୍ରତି କଥାରେ ଜାଣିଶୁଣି

ଅଝଟ ଆଉ ଅବୁଝା ହବାକୁ।


ମତେ ଭଲଲାଗେ ତୁମକୁ

ମୋର ଆଉ କେବଳ ମୋର କହିବାକୁ

ସେ ହୃଦୟର ସ୍ପନ୍ଦନ

ମିନିଟ୍'କୁ କେତେ ଥର ଜାଣିଲା ପରେ ବି

କାନ ଡେରି ତାକୁ ବାରମ୍ବାର ଗଣିବାକୁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance