STORYMIRROR

Jyotshna Rani Sahoo

Tragedy Inspirational Others

4  

Jyotshna Rani Sahoo

Tragedy Inspirational Others

ଭିନ୍ନ ଏକ ଚିତ୍ରକାର

ଭିନ୍ନ ଏକ ଚିତ୍ରକାର

1 min
193


ଜୀବନର ଚିତ୍ରରେ ଆଙ୍କେ କିଛି ଶୂନ୍ୟସ୍ଥାନ

ରଙ୍ଗ ଭରିଦିଏ ମୋର ସ୍ଥିର ଭାବନାର

ଭିନ୍ନଭିନ୍ନ ରଙ୍ଗକୁ ପରଖିବାରେ

ଏବେ ମୁଁ ବୋଧେ ଅକ୍ଷମ ହୋଇ ଶିକାର ବର୍ଣ୍ଣାନ୍ଧତାର।


ମତେ କିଏ ଶିଖେଇଲା ରଙ୍ଗ ଭିତରେ ଭିନ୍ନତା,

ମତେ କିଏ ବନେଇଲା ଚିତ୍ରକର!

ଆଙ୍କିବାକୁ ସମଗ୍ର ବିଶ୍ବକୁ ଭିନ୍ନଭିନ୍ନ ବିଶ୍ୱାସର ତୂଳୀ ଧରି

ଅନ୍ଧାରରୁ କାଳିମା ଆଉ ସକାଳରୁ ଲାଳିମା ଆଣି

ମତେ କିଏ କହୁଥିଲା ରାତିକୁ ମୋର ଦିନକୁ ପର କରିବା?


ମୁଁ ଖୁବ୍ ଖୁସି ଥିଲି ଅଜ୍ଞାତ ବାସ କରୁଥିଲା ବେଳେ

ଏବେ ସମ୍ପର୍କର ଅଙ୍କ, ଜୀବନର ମାନସାଙ୍କ,

ପ୍ରେମର ସାହିତ୍ୟ, ସଂଘର୍ଷର ଭୂଗୋଳ,

ଆଉ ଅତୀତର ଇତିହାସ

ଏତେ ସବୁ ଜ୍ଞାନକୁ ଗାରିମା କରି ମୁଣ୍ଡେଇ

ଚାଲିବାକୁ ପଡ଼ିବ ଏକ ଅସୀମ ପଥ

ଭେଦ କରିବାକୁ ପଡ଼ିବ ମୁଁ କିଏର ଅଭେଦ୍ୟ ସରଳାର୍ଥ।


ମତେ ଧରେଇ ଦିଆଗଲା ଏକ ବର୍ଗାକାର କାନଭାସ୍

ତା ଭିତରେ ବିଭିନ୍ନ ଆକୃତିର ଜୀବନ ଆଙ୍କି

ମାପିବାକୁ ପଡ଼ିବ ତାର କ୍ଷେତ୍ରଫଳ ଆଉ ପରିସୀମା

ମାପ ଭୁଲ୍ ହେଲେ ମୁଁ ଉତ୍ତୀର୍ଣ୍ଣ ହେବାର ଦୂର କଥା

ମତେ ହରେଇବାକୁ ପଡ଼ିବ ମୋ ନିଜର ଅସ୍ତିତ୍ଵ

ଏଠି କେବଳ ଶହେରୁ ଶହେ ଅଙ୍କ ଆଣିଲେ ମିଳେ ଦାସତ୍ୱ।


ମୁଁ ଲାଗିପଡ଼ିବି ଧରି ଏକ ମାପ ଫିତା

ସବୁ ସମ୍ପର୍କ ପ୍ରେମରେ ଦେଖେଇବି ମୋର ଅଭିଜ୍ଞତା

ମୁଁ ଏକ ଚିତ୍ରକର ମତେ ଖୁବ୍ ଆସେ ପଦ ଗଣନା

ଜ୍ଞାନ ଗାରିମା ଯଦି ସବୁ ଏଠି ମୁଁ ବି ହେବି ଜଗତଜିତା

ହେଲେ ଏଠି ମୁଁ ପରାଜୟ ସ୍ଵୀକାର କରୁଛି

ମୋ ନିଜ ପାଖରୁ,କିଛି ପାଇ ସବୁକିଛି ହରେଇବାର 

ଅବଶୋଷ ମାତ୍ର କରୁଛି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy