ମୋ ଗାଁ ମଶାଣି
ମୋ ଗାଁ ମଶାଣି
(ଛନ୍ଦ-ଶଙ୍କରାଭରଣ)
ହରି ନାମ ସତ୍ୟ ରାମ ନାମ ସତ୍ୟ ଧ୍ବନି
ହରଷେ ପୁଲକି ଉଠେ କର୍ଣ୍ଣେ ଶୁଣି ଶୁଣି
ସିଏ ମୋ ଗାଆଁ ମଶାଣି
ଆଦରେ କୋଳେଇ ଧରେ ମାଟି ଦେହ ପୁଣି ।
ପଞ୍ଚଭୂତର ଶରୀର ବିଲୀନ ତା' ଦେହେ
କୁଢ଼ କୁଢ଼ ଭସ୍ମ ଧରି ସିଏ ପଡ଼ିଥାଏ
ଭଗ୍ନ ହାଣ୍ଡି ଏଠି ସେଠି
ବର୍ଯ୍ୟ ଛିଣ୍ଡା ବସନରେ ଶୋଭେ ତା' ତନୁଟି ।
ଠାଏ ଠାଏ କଣ୍ଟା ଗୁଳ୍ମ ତୁଳସୀ ପାଦପ
ସାଥୀ ପରି କରିଥାନ୍ତି ସତେ କି ଗଳପ
ମଶାଣିରେ ଧନ୍ୟ ତୁହି
କୌଣସି ବାଛବିଚାର ତୋ ପାଖରେ ନାହିଁ ।
ଗାଆଁର ପ୍ରତିଟି ଜନ ପ୍ରିୟ ତୋହ ପାଇଁ
ଧନୀ କି ଗରିବ ଜ୍ଞାନୀ ଅଜ୍ଞାନ ବି ନାହିଁ
ସକଳଠି ସମ ଭାବ
ନିଶ୍ଚୟ ତୁ ଗାଆଁଟିର ଗରବ ଗୌରବ ।
ଆପଣାର କହି କହି ଯାହାଙ୍କୁ ପୋଷଇ
ଆତ୍ମା ଉଡ଼ିଗଲେ ଦେହଟିକୁ ଶବ କହି
ଭେଟି ଦେଇଥାନ୍ତି ତୋତେ
ଆଉଯାଉ କୋଳେ ଅତି ପ୍ରିୟ ଭାବି ସତେ !
ଲେଲିହାନ ଶିଖା ତୋଳି ଜୁଇ ଜଳୁଥାଇ
ନୀରବ, ନିସ୍ପନ୍ଦ, ନିର୍ବିକାର ଅଟୁ ତୁହି
ଅନ୍ତରୀକ୍ଷକୁ ଅନାଇ
ସତେ କି ପ୍ରାର୍ଥନା କରୁ ଜୀବ ମୁକ୍ତି ପାଇଁ !