ଭଦୁଆଁ ଆକାଶେ ଜହ୍ନ
ଭଦୁଆଁ ଆକାଶେ ଜହ୍ନ
ଶରଦ ଆକାଶେ କାଚକେନ୍ଦୁ ଶଶୀ
ଲାସ୍ଯ ହାସ୍ଯ ଛନ୍ଦେ ତୋରା
ଶୁଭ୍ର ଅଭ୍ରଖଣ୍ଡେ ଖେଳେ ଲୁଚକାଳି
ପ୍ରୀତି ଉନ୍ମାଦନା ଭରା
ମେଘମଦ୍ର ଆକାଶରେ
ଉଲ୍ଲସିତ ପ୍ରାଣେ ଦ୍ବି'ଲୋକ ହାସିନୀ
ବିଧଉତ ଜ୍ୟୋତ୍ସ୍ନା ଭରେ।
କୁଆଁର ପୁନେଇ ଶଶୀ ସାଥେ ରସି
କୁଆଁରୀ ମତ୍ତ ଉନ୍ମତ୍ତା
ଅନୂଢା ମନଟା ଚୁରି ଚୁରି ହଜେ
ତୋଳେ ସ୍ବପ୍ନ ବାଲିବନ୍ତା
ଜହ୍ନି ଫୁଲେ ବାଲି ଘରେ
କୁମୁଦ-ବାନ୍ଧବେ କୁମୁଦେ ହସାଇ
ନିଶା ବିତେ ପ୍ରେମ ପୁରେ ।
ସନ୍ଧ୍ୟା ତାରା ସାଥେ ଶରଦ ଶଶୀକୁ
କାଶତଣ୍ଡୀ ଆଲଟରେ
ମୃଦୁ ମଳୟର ହିଲ୍ଲୋଳେ ନାଚଇ
ଶାଳୀଧାନ୍ଯ କ୍ଷେତ୍ର ଧାରେ
ବସନ ପାଟ ପତନି
ଗଙ୍ଗଶିଉଳିର ହରିତାୟନନେ
ସୁସ୍ବାଗତେ ଆବାହନୀ ।
ପଲ୍ଲୀ-ବିଳାସିନୀ ପ୍ରମଦା-ରତନୀ
ଶୁଭ୍ର-କାନ୍ତି ଶଶୀ ସାଥେ
କମ୍ର କୁନ୍ତଳେ ତା' ମୁକ୍ତା ପରିହିତା
ଭରସି ଯାମିନୀ ପ୍ରତେ
ଅବଗାହୀ ଅନୁଚିନ୍ତା
ବିମଳେନ୍ଦୁ ପ୍ରୀତେ ତନ ମନ ନ୍ଯାସୀ
ପୁରାଏ ଜୀବନ ବ୍ୟଥା ।