STORYMIRROR

Chinmoyee Mohanty

Inspirational

3  

Chinmoyee Mohanty

Inspirational

ମୋ ବାପାଙ୍କ ପାଇଁ

ମୋ ବାପାଙ୍କ ପାଇଁ

1 min
27.3K


ଇଚ୍ଛା ହୁଏ ଇଥରରୁ ସାଉଁଟି ଆଣନ୍ତି

ମତେ ତମେ କହିଥିବା କଥା ସବୁ ଯେତେ,

ଆକାଶରୁ ଝରୁଥିବା କାକର ଟୋପା ସାଙ୍ଗରେ

ଗୋଟେଇ ନିଅନ୍ତି ତମ ନିଷ୍ପାପ ହସର

ହୀରା ଫୁଲ ସବୁ ; ସମୟର ଅନ୍ଧାରି ଗୁମ୍ଫା ତଳୁ

ତମେ ହଠାତ୍ ବାହାରି ଆସନ୍ତ, ଆଉ ଥରେ

ହାତ ଧରି ଶିଖେଇ ଦିଅନ୍ତ ବାଟ ଚାଲିବାର

ମନ୍ତ୍ର, ଯାହା ସବୁ ମୁଁ ବାରମ୍ବାର ଭୁଲିଯାଉଥାଏ !

ତମ ପାଇଁ ଦିନ ରାତି ଝୁରିହେଉଥିବା ମନ ମୋର

ତୁମକୁ ପାଇଗଲା ପରେ, ମେଘ ପରର ଆକାଶ ଭଳି

ଶାନ୍ତ ଆଉ ନିର୍ମଳ ହେଇ ଯାଆନ୍ତା,

ତମ କୋଳେ ମୁଣ୍ଡ ରଖି ମନଭରି ଖୁବ୍ କାନ୍ଦନ୍ତି,

ଅବୁଝା ମୋ ପିଲା ଦିନ ଭଳି, ଯେମିତି ମୁଁ

କାନ୍ଦୁଥିଲି ଦିନେ ରାହା ଧରି ।

ଆକାଶକୁ ଛୁଇଁବାର ନିଶା ତମେ ତ

ଶିଖେଇଥିଲ, ସାଗରକୁ ଲଙ୍ଘିବାର ଆଶା

ତମେ ବି ଜଗାଇଥିଲ;

ଯନ୍ତ୍ରଣାର ସମୁଦ୍ରରେ ଅନେକ ବୁଡିଲି,

ତମପାଇଁ କିନ୍ତୁ ମୁକ୍ତାଟିଏ ଆଣି ପାରିଲିନି,

ଆକାଶକୁ ଛୁଇଁବାର ଆଶା ମୋର ସ୍ଵପ୍ନ ପାଲଟିଲା

ଅବଶୋଷ ରହିଗଲା ମନ ତଳେ ଖାଲି ।

ଚିନ୍ମୟୀ ମହାନ୍ତି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational