STORYMIRROR

Chinmoyee Mohanty

Others

3  

Chinmoyee Mohanty

Others

ତମ ଗାଁ, ମୋ ସହର

ତମ ଗାଁ, ମୋ ସହର

1 min
80

ତମ ଗାଁ ଆଡେ ଏବେ ବର୍ଷା ହେଉଚି କି ନା ଜାଣେନି

ହେଲେ ଏଇ ଶ୍ରାବଣରେ ବି ବୈଶାଖୀ ତାତିରେ ମୁଁ ଖାଲି ଜଳୁଚି।

ତମ ଗାଁ ତୋଟାମାଳେ ମହ୍ଲାର ରାଗ ତମେ ଶୁଣୁଚ କି ନା ଜାଣିନି 

ହେଲେ ଏଠି କଂକ୍ରିଟ ଜଙ୍ଗଲରେ କରୁଣ ଆଶାବରୀ ରାଗରେ ମୁଁ ବତୁରି ଯାଉଚି।

ତମ ଗାଁ କଦମ୍ବ ଗଛରେ କଦମ୍ବର ମହାରାସ ଚାଲିଚି କି ନା ଜାଣିନି,

ମୋ ସହରରେ କିନ୍ତୁ କଦମ୍ବ ଫୁଲିଆ କରୋନା ତା'ର ଡାଳପତ୍ର ମେଲେଇ ନାଚି ଚାଲିଚି।

ତମ ଗାଁ ପୋଖରୀରେ ଆଜିକାଲି କଇଁଫୁଲ ଫୁଟୁଚି କି ନା ଜାଣିନି

ହେଲେ ମୋ ସହରର ସୁଇମିଙ୍ଗ ପୁଲ୍ ଚାରିପଟେ ପ୍ଲାଷ୍ଟିକ ଫୁଲ ଦେଖି ମୁଁ ଖୁସିରେ ନାଚୁଚି।

ତମ ଗାଁ ଆକାଶ ରେ ଆଜିକାଲି ଜହ୍ନ ହସୁଚି କି ନାଇଁ ଜାଣିନି

ହେଲେ ମୋ ସହର ବତୀଖୁଣ୍ଟ ତୋଫା ଆଲୁଅରେ ଜହ୍ନ କୋଉଠି ତା ମୁହଁ ଲୁଚେଇ ଦେଇଚି।

ତମ ଗାଁ ଦାଣ୍ଡରେ ଆଜିକାଲି ସାହିଯାତ ହେଉଚି କି ନା ଜାଣିନି

ହେଲେ ମୋ ସହରରେ ଆଜିକାଲି ଡିଜେ ଡ୍ୟାନ୍ସ ଭାରି ଭିଡ ଜମୁଚି।

ତମ ଗାଁ ଦାଣ୍ଡରେ ପୋଷ୍ଟମ୍ୟାନର ଘଣ୍ଟି ଶୁଭୁଚି କି ନାଇଁ ଜାଣିନି,ହେଲେ

ମୋ ଲ୍ୟାପଟପ୍ ରେ ମେଲ୍ ବକ୍ସ ପୁରା ପୁରି ଭର୍ତ୍ତି ହେଇଯାଉଚି।

ଏସବୁ ଭିତରେ ମୋ କଥା ତମର ମନେ ପଡୁଚି କି ନାଇଁ ଜାଣିନି

ହେଲେ, ତମ ନାଲି ରିବନ ବନ୍ଧା ଲଂବା ବେଣୀ,

ଚୁଲବୁଲି ହସ ଆଉ ଛୋଟ ଛୋଟ ଦୁଷ୍ଟାମୀ ମୋର କାଇଁ ଭାରି ମନେ ପଡୁଚି।।

          


Rate this content
Log in