ମିଛ
ମିଛ


ମିଛ ମିଛ ମିଛ ମିଛ ଲୋ ସଜନୀ
କେତେ କହିବୁ ତୁ ମିଛ
ମିଛ କହି କହି ଦୁନିଆଁ ଦାଣ୍ଡରେ
ସବୁ ହୋଇଗଲା ତୁଚ୍ଛ ।
ମିଛ କହିବାକୁ ମଜାଲାଗେ ବୋଲି
ସଭିଙ୍କୁ କହିଲୁ ମିଛ
ମିଛ ଦରିଆରେ ବୁଡ଼ ପକାଇଲୁ
ସତକୁ କହିଲୁ ମିଛ ।
ମିଛ ସମ୍ପର୍କରେ ଭାବ ଡୋରି ବାନ୍ଧି
ସତ ସଂପର୍କେ ଆଘାତ
ମିଛ ପାଇଁ ଦିନେ ବନ୍ଧୁ ସହୋଦର
କରିଲୁ ତୁ ପଦାଘାତ ।
ମିଛ କହି କହି କଳା ସମ୍ରାଜ୍ୟର
ହୋଇଲୁ ତୁ ରାଜାଧିଶ
ମିଛ ସାମ୍ରାଜ୍ୟର ଆୟୁଷ ଅଳପ
ହୋଇଯିବୁ ଦିନେ ଶେଷ ।
ମିଛ କହିଛି ଯେ ଧରାଶାୟୀ ହୋଇ
ଭୂମିରେ ପଡିଛି ଲୋଟି
ଉଦର ଜ୍ୱାଳାକୁ ନିର୍ବାପିତ ପାଇଁ
ଖାଏ ମୁଠା ମୁଠା ମାଟି ।
ମିଛ ପ୍ରତିଶୃତି ଦେଇ ନିରୀହଙ୍କୁ
କରିଲେ ଟି ପ୍ରତାରଣା
ମିଛ ଦାଣ୍ଡେ ଚାଲି ଆଗକୁ ବଢିଲେ
ହୋଇଯିବ ବାଟବଣା ।
ମିଛ ଭକ୍ତି ମିଛ ଶକତି ଦେଖାଇ
କ୍ଷଣେ ହେବୁ ବଳଶାଳୀ
ମିଛ ଭାବ ଡୋରି କାଳସର୍ପ ସାଜି
ଦିନେ ରେ ଦେବଟି ଗିଳି ।
ମିଛ କହି କେହି ନିସ୍ତାର ପାଇନି
ରାଜା ହେଉ ଅବା ନେତା
ସତ୍ୟର ପ୍ରହାରେ ହୋଇ ଧରାଶାୟୀ
ହରାଇଛି ନିଜ ସତ୍ତା ।
ମିଛଟି ସ୍ୱାଦିଷ୍ଟ ହେଲେ ମଧୁମେହ
ସାଙ୍ଗେ ଭାଇ ବନ୍ଧୁ ଧରି
ଆବୋରି ବସିବେ ଦିନ କିବା ରାତି
ଶେଷେ ନେବେଟି ଘୋଷାରୀ ।
ମିଛକୁ ପାଖେଇ ସତ୍ୟ ପଥେ ରହି
ଲକ୍ଷ୍ୟ ପଥେ ଅଗ୍ରସର
କଣ୍ଟକିତ ପଥ ହେବ କୁସୁମିତ
ସଫଳତା ପ୍ରାପ୍ୟ ତୋର ।