ମା'
ମା'
ଦଶମାସ ଯାଏ ଗରଭେ ସଞ୍ଚିକି
ଜନମ ଦେଇଛି ମୋତେ,
ଦୟା, କ୍ଷମା, ପ୍ରେମ ସ୍ନେହର ମୂରତି
କେତେ ଅନୁପମା ସତେ !
ଲାଳନ ପାଳନେ କେତେ କଷ୍ଟ ସହି
କରେ ଏଡୁଟିରୁ ଏଡ଼େ,
ରୋଗ ବଇରାଗେ ଅହଃନିଶି ଜଗେ
ଛାଡ଼ି କାମ ସବୁଆଡ଼େ ।
ତା’ କୋଳରେ ଥିଲେ ନାହିଁ ଡରଭୟ
ସେଇ ତ ସରଗ – ଅଭୟପୁର,
କାନିର, ପରଶେ ସବୁ ଦୁଃଖକଷ୍ଟ
କ୍ଷଣକରେ ହୁଏ ଦୂର ।
ଅଭିମାନ କରି ମୁହେଁ ଦିଏ ଗାଳି
ନ ରଖି ହୃଦୟେ କିଛି,
ବିନା ଅଭିଯୋଗେ ରାଗ ରୁଷା ଭୁଲି
ଦିଏ ଭଲ ଖାଦ୍ୟ ବାଛି ।
ତା’ର ଆଶୀର୍ବାଦେ ଆଗେଇ ଯିବାରେ
ବାଟ ଦେଖାଇଛି ମୋତେ,
ମାତୃଋଣ କେହି ଶୁଝି ପାରିବେନି
ପାରିନି କେହି ଜଗତେ !
