କ୍ଷଣେ କ୍ଷଣେ ମନେ ଜାଗେ
କ୍ଷଣେ କ୍ଷଣେ ମନେ ଜାଗେ
କ୍ଷଣେକ୍ଷଣେ ମନେ ଜାଗେ ବାସନା ମୋହରି
ସମୟସ୍ରୋତେ ଯାଆନ୍ତି ପଛେ ଟିକେ ଫେରି
ଅନୁଭବୀ ଟିକେ ପୁରାତନ ସ୍ମୃତି ଚୟ
ପୁଣି ଫେରନ୍ତି ଯା ନୁହେଁ ପରିବର୍ତ୍ତନୀୟ l
ଜାଗେ ବାସନା ମୋହର କ୍ଷଣେ କେବେ ପୁଣି
ଶୈଶବ ଫେରି ଆସନ୍ତା ମୋର ଏହି କ୍ଷଣି
ଦେଖନ୍ତି ଜନନୀ ମୁଖ, ଦିବ୍ୟ ତାର ହସ
ନଲଭି ତା ସ୍ନେହ ଫେରିଆସନ୍ତି ଅବଶ୍ୟ l
ଜାଗଇ କାମନା ମନେ ପୁଣି କେତେବେଳେ
ଯାଉ ଥାନ୍ତି ମୁହିଁ ଅବହେଳେ ପାଠ ଶାଳେ
ଫେରନ୍ତି ସାଥୀ ମେଳରେ ସମୟ ବିତାଇ
ସହପାଠୀ ଯାହାଙ୍କୁ ମୁଁ ଆଉ ଭେଟି ନାହିଁ l
ପୁଣି ବାସନା ଜାଗଇ ଲାଗଇ ସନ୍ଦେହ
ବିଦ୍ୟାର୍ଥୀ ହୁଅନ୍ତି ମୁହିଁ ମହାବିଦ୍ୟାଳୟ
ପୁନଶ୍ଚ ସାଧି ନାଶନ୍ତି ଅବିଦ୍ୟା ମୋହର
ହାୟହାୟ କାଳ ହାୟ ମୋ ବିଦ୍ୟାମନ୍ଦିର l
ଜାଗଇ ମନରେ ପୁଣି କର୍ମେ ଫେରିଯାନ୍ତି
ସଜାଡ଼ି ନିଅନ୍ତି ଠିକ ଠାକ ଭୁଲ ଭ୍ରାନ୍ତି
ମନେପଡ଼େ ସେ ମୋହର ପ୍ରଥମ ବେତନ
ହାୟେ କି ଆସିବ ଫେରି ସେହି ଖୁସିଦିନ l
ବାସନା ମୋ ମନେ କେବେ ହୁଅଇ ପ୍ରବଳ
ପିଲାଙ୍କ ସହିତେ ଟିକେ ଖେଳନ୍ତି ମୁଁ ଖେଳ
ହାୟେ ସେ ସମୟ ହାୟ ଯାଇ ଅଛି ଗଡ଼ି
ପିଲାଏ ହେଲେଣି ଏବେ ଆସି ବୁଢ଼ା ବୁଢ଼ି l
କେବେ ପୁଣି ଭାବେ ମୁହିଁ ଆଉଟିକେ ବଞ୍ଚି
ବାଣ୍ଟି ଦେଇଥାନ୍ତି ଲୋକେ ଯାହା ଅଛି ସଞ୍ଚି
ଲୋଡ଼ାନାହିଁ ବଞ୍ଚିବା ମୋ ସୁଦୀର୍ଘ ଜୀବନ
କିନ୍ତୁ ହାୟ ଫେରି ଆସିବ କି ସେହି ଦିନ ।
ବୃଥା ଭାବନାରେ ଭାଇ ଭାସି ଯାଏ ମୁହିଁ
ଅତୀତକୁ ଆସ୍ଫାଳଇ ଯାହା ଫେରେନାହିଁ
ଆୟୁଷ ମୋ ଆଉ ରହିଅଛି ଯେତେ ବାକି
ସାର୍ଥକେ ହରିବି ନିଶ୍ଚେ ଦୁଃଖ ସୁଖ ବିକି l