କ୍ଷମାକର ଭାବଗ୍ରାହୀ
କ୍ଷମାକର ଭାବଗ୍ରାହୀ
ଏମିତି ବି ଦିନେ ସମୟ ଆସିବ
ବୟସର ଅପରାହ୍ନରେ,
ଥୁଣ୍ଟା ଗଛ ପରି ଠିଆ ହୋଇଥିବି
କେଉଁ ଏକ ରାସ୍ତା କଡରେ !
କାଲି ମୋ ଡାଳରେ କେତେ କଳରବ
ଶୁଭୁଥିଲା ପକ୍ଷୀଙ୍କର,
ଆଜି ମୋ ପାଖରେ କେହି ଜାଣେ ନାହିଁ
ଚାଲିଗଲେ ବହୁ ଦୂର !
ଏକାଏକା ଆଜି ଦିନ ମୁଁ ଗଣୁଛି
କେବେ ଆସିବ ମୋ ପାଳି,
ଆଜି ନ ହେଲେ ମୁଁ କାଲି ଚାଲିଯିବି
ଏଇ ଦୁନିଆଁକୁ ଛାଡି ?
କେହି ଯିବେ ନାହିଁ ମୋହରି ସାଥିରେ
ଏକାଏକା ମୁଁ ଯିବି,
କେବଳ କାଳିଆ ଶ୍ରୀରାମ ନାମଙ୍କୁ
ନେଇ ବାଟ ଚାଲୁଥିବି !
ସଭିଏଁ କହିବେ ଜଣେ କିଏ ଥିଲା
ଆଜି ସିଏ ଚାଲିଗଲା,
କିଛି ଦେଲା ଅବା କିଛି ବି ନ ଦେଲା
ନାଁ କିଛି କରିଥିଲା ?
କିଏ ତ କହିବ ଭାରି ଭଲହେଲା
ସେ ଲୋକଟା ଚାଲିଗଲା,
ଜୀବନଟା ସାରା ଅହଂକାରୀ ହୋଇ
କି ଲାଭ ଅବା ପାଇଲା ?
ଯେତେ ପରଛିଦ୍ର ନିନ୍ଦା ଅପବାଦ
ଜୀବନଟା ଯାକ କରି,
ଆଜି ହୋଇଗଲା ବିରାଡି ବୈଷ୍ଣବ
ଧର୍ମ ନାମେ ହେବ ପାରି ?
ଅଧର୍ମ ଯେତେକ ପୁଣି ଅପକର୍ମ
ସାରା ଜୀବନ ତ କଲା,
ଆଜି ଚାଲିଗଲା ଭାରି ଭଲ ହେଲା
ଧର୍ମ ରକ୍ଷା ହୋଇଗଲା !
ସେଇ ଥୁଣ୍ଡା ଗଛ ଅଣ୍ଟା ଭାଙ୍ଗି ଆଜି
ପଡିଛି ଆହତ ହୋଇ,
ଚନ୍ଦ୍ରକାନ୍ତ ମାଗେ ପାପ ମୋର
ତୁମେ ଧୋଇଦିଅ ଭାବଗ୍ରାହୀ !
