କୃପାମୟୀ
କୃପାମୟୀ
ପୂର୍ବାକାଶେ ପ୍ରାତଃ ଦୁଆର ଫିଟାଇ
ଲୋହିତ ମୁରୁଜ ବିଞ୍ଚିଲାଣି
ବାଳୁତ ତପନ ହସି ହସି ଦେଖ
ଦୂର ପାହାଡ଼ରେ ଖେଳିଲାଣି
ଶରତର ଶୋଭା ଦିଶିଲାଣି,
ଦେବୀ ଆସିବାର ସୁସମ୍ବାଦ ନେଇ
ନଦୀ ଲାଜେ ନାଲି ପଡ଼ିଲାଣି।
ନାଲି ମନ୍ଦାରର ଉନ୍ମୁକ୍ତ ଆଭାରେ
ଧରଣୀ କୁଙ୍କୁମ ନାଇଲାଣି
ରଙ୍ଗଣୀ ଫୁଲର ଧାଡ଼ି ଧାଡ଼ି ହୋଇ
ସୁଖର ପସରା ମେଲିଲାଣି
କମଳ ପାଖୁଡ଼ା ମେଲିଲାଣି,
ପ୍ରତି ପାଖୁଡ଼ାରେ ମାଆର ରକ୍ତିମ
ଚରଣ ଝଲସି ଉଠିଲାଣି।
ନାଲି ରଙ୍ଗ ପରା ଉତ୍ସାହରେ ଭରା
ସେପାଇଁ ସେ ନାଲି ବସ୍ତ୍ରାନ୍ଵିତା
ସର୍ବ ଶୁଭ ପ୍ରଦାୟିନୀ ମା କଲ୍ୟାଣୀ
ସନ୍ତାନ ବତ୍ସଳା ଜଗନ୍ମାତା
ଚଣ୍ଡୀ ଚାମୁଣ୍ଡାଙ୍କ ପରିବୃତା
ସିନ୍ଦୂର ଅଳତା ଶଙ୍ଖା ଓ କୁଙ୍କୁମ
ନାନା ଅଳଙ୍କାରେ ସୁଶୋଭିତା।
ଅଧରେ ତା ନାଲି ସ୍ନେହଭରା ହସ
ସଭିଙ୍କୁ ତା ପାଶେ ଟାଣିନିଏ
ଯେତିକି କରୁଣା ଅଛି ତା ହୃଦରେ
ବିଶ୍ଵ ମାନସକୁ କିଣିନିଏ
ଦୁର୍ଲ୍ଲଭ ତା କୃପା କାଣିଚାଏ
ଲଭିଲେ ସାମାନ୍ୟ ଫଳ ଅସାମାନ୍ୟ
ରେଣୁ ହେଲେ ବି ସେ ତରିଯାଏ।
ଆସୁରୀ ପ୍ରବୃତ୍ତିଧାରୀଙ୍କ ପାଇଁ ସେ
ଅନାୟାସେ ସାଜେ ଜ୍ୱାଳାମୁଖୀ
ନିମିଷକେ କରେ ନାଶ ସେ ପ୍ରାଣୀର
ଦୁଃଖିଙ୍କୁ ରଖେ ତା କୋଳେ ଜାକି
ପଣତରେ ତାର ଦିଏ ଢାଙ୍କି
ବିପଦେ ଯେ ଡାକେ ଆକୁଳ କଣ୍ଠରେ
କୃପା ଲଭି ହୁଏ ମହା ସୁଖୀ।