କର ପରିତ୍ୟାଗ
କର ପରିତ୍ୟାଗ
ଜନ୍ମଠାରୁ ମୃତ୍ୟୁ ଦୂରତା ଯେତିକି
ମାପିବା କିଏ ପାରିବ,
ପଦ୍ମ ପତ୍ରଟିରେ ଜଳବିନ୍ଦୁ ସମ
ଜୀବନ ଆମ ରହିବ ।
ଅଳିକ ନଶ୍ୱର ଜୀବନକୁ ନେଇ
ଭ୍ରମିତ ଯେ ହେଉଅଛୁ,
ଜନମ ଥିଲେତ ମରଣ ରହିଛି
ମନରୁ ସଦା ଭୁଲୁଛୁ ।
ସଖାସହୋଦର ବନ୍ଧୁଓ କୁଟୁମ୍ବ
ହେଉ ଅବା ପୁଅ ଝିଅ,
ପ୍ରାଣ ଉଡ଼ିଗଲେ ଅଛୁଆଁ କହିବେ
କହିବେ ଶ୍ମଶାନ ନିଅ ।
ଶ୍ମଶାନର ଯୁଇ ସଜାଇବାପାଇଁ
ନିମନ୍ତ୍ରଣ ଆସିଯିବ,
ଧନ ଯଉବନ କୁହୁକ ସମାନ
ପୂର୍ଣ୍ଣଛେଦ ପଡିଯିବ ।
ଆହା ଆହା ପଦ କ୍ରନ୍ଦନର ଶବ୍ଦ
ଯୁଇ ସଜାଡିବା ଯାଏ,
ସୁନା ଦେହ ତୋର ପାଉଁଶ ହୋଇବ
କାନ୍ଦିବେନି ଆଉ କିଏ ।
ଜୀଇଁଥିବ ଯେବେ ଆଧ୍ୟାତିକ ମାର୍ଗେ
ଜୀବନ ଉତ୍ସର୍ଗ କର,
ଅନ୍ୟାୟ ଅଧର୍ମ ମହାକାଳ ସମ
ପରିତ୍ୟାଗ ତାକୁ କର ।
ସରିତା ମହାନ୍ତି ।
ଶିକ୍ଷୟିତ୍ରୀ ।
ବାଲିଆପାଳ
ବାଲେଶ୍ୱର ।