ବାରଦିନେ ଶେଷ ହେବ
ବାରଦିନେ ଶେଷ ହେବ
ଚାଲିବାକୁ ଅଛି
ପଥ ବହୁ ଦୂର
ପଡିବିନି କେବେ ଥକି ।
ନାରୀ ରୂପେ ମୁହିଁ
ଜନମ ନେଇଛି
ପରୀକ୍ଷା ଅଛି ମୋ ବାକି ।
ଜୀବନେ ଅନ୍ଧାର
କରିବି ମୁଁ ଦୂର
ମନରେ ସଂକଳ୍ପ ନେଇ ।
ମାନସିକ ସୁଖେ
ସୁଖୀ ହୋଇମୁହିଁ
ଜୀବନ ଦେବି ବିତାଇ ।
ନାରୀ ହୋଇବି କି
ନାରାୟଣୀ ହେବି
ସମୟ ଇଶାରା ଦେବ ।
ଜୀବନ ସଂଗ୍ରାମେ
ଯବାନ ସାଜିବି
ଧୈର୍ଯ୍ୟ ମୋ' ଅସ୍ତ୍ର ହୋଇବ ।
ଶାନ୍ତି ଓ ସନ୍ତୋଷ
ଏହି ଦୁଇ ମନ୍ତ୍ର
ଜୀବନେ ବ୍ରତ କରିବି ।
ଝଡ଼ ତୋଫାନକୁ
ରହିବନି ଡର
ଅକ୍ଳେଶରେ ବର୍ତ୍ତିଯିବି ।
ଦେହ ମୋ' ସଳିତା
ଧୈର୍ଯ୍ୟ ସହିଷ୍ଣୁତା
ସଂଯମତା ଆଚରିବି ।
ଜଟିଳ ପରୀକ୍ଷା
ସରଳ ହୋଇବ
ମୂଲ୍ୟାୟନେ ନ ହାରିବି ।
କାହାର ଆଶ୍ରୟ
ନେବି ନାହିଁ କେବେ
ନିରାଶ୍ରୟା ମୁହିଁ ନୁହେଁ ।
ଆତ୍ମସନ୍ତୋଷରେ
ଦିନ ବିତାଇଣ
ବିଜୟୀ ହେବାକୁ ଚାହେଁ ।
ସମୟ ସୁଅରେ
ଭାସି ଯାଉଥିବି,
ସଂଘର୍ଷ ମୋ' ଚାଲିଥିବ ।
ଠିକଣା ଜାଗାରେ
ପହଁଞ୍ଚିବି ଯାଇ
ମୋ' କର୍ମ ମୋ' ସାଥେ ଥିବ ।
ଜୀବନ ନାଟକେ
ଶେଷ ଜବନୀକା
ଅନ୍ତିମ ଦୃଶ୍ୟ ଆସିବ ।
ସବୁ ଅଭିନୟ
ସେଦିନ ସରିବ
ଆତ୍ମା ମୋ' ଶାନ୍ତି ଲଭିବ ।
ରକ୍ତ ମାଂସ ଦେହ
ପାଉଁଶ ହୋଇବ
କିଛି ଦିନ ନାମ ଥିବ ।
ଭଲ ମନ୍ଦ କିଛି
ବାରତା ବି ଦେବେ
ବାର ଦିନେ ଶେଷ ହେବ ।
