ଦିବ୍ୟ ଦର୍ଶନ
ଦିବ୍ୟ ଦର୍ଶନ
ନିରାକାର, ନିର୍ବିକାର ନିରାମୟ
ହେ ଶିବ ଶଙ୍କର ହର ।
ତୁମେ ପରା ଆତ୍ମା ତୁମେ ପରମ୍ ବ୍ରହ୍ମ
ଈଶ୍ୱର ଅଟ ଆମର ।
ତ୍ରିନେତ୍ର ନାମରେ ନାମିତ ସଂସାରେ
ମନୁଷ୍ୟ ମାନଙ୍କ ପାଇଁ ।
ଦୁଇଆଖି ଆମେ ଧରିଥିଲେ ମଧ୍ୟ
ଜ୍ଞାନ ଚକ୍ଷୁ ଆମ ନାହିଁ।
ଜ୍ଞାନଚକ୍ଷୁ ଆମ ଉଦିତ ପାଇଁକି
ତ୍ରୀନେତ୍ର ଧାରଣ କଲେ ।
ସତ୍ ମାର୍ଗେ ଆମେ ଚାଲିବା ନିମିତ୍ତ
ଦୃଷ୍ଟାନ୍ତ ସେ ଦେଉଥିଲେ।
ପଞ୍ଚାନନ ନାମେ ବିଖ୍ୟାତ ହୁଅନ୍ତି
ସତେକି ପାଞ୍ଚଟି ମୁଖ ।
ପାଞ୍ଚ ଇନ୍ଦ୍ରିୟର ଦେଇଥାନ୍ତି ବାର୍ତ୍ତା
ଭରିଦେଇ ସବୁ ସୁଖ।
ତ୍ରିଶୂଳ ଧାରୀ ସେ ସର୍ବ ଶକ୍ତିମାନ
କାହିଁକି ଧରିଲେ ଅସ୍ତ୍ର ।
ପ୍ରଭୁ ହୋଇ କଣ ଡ଼ର ଥିଲା ତାଙ୍କ
କଥା ଏ ବଡ଼ ବିଚିତ୍ର।
ମଣିଷ ଶରୀରେ ନାନା ରୋଗବ୍ୟାଧି
ବାତ କଫ ପିତ ଥାଏ ।
ଏହି ତିନିଟିକୁ ନିଯନ୍ତ୍ରଣ କଲେ
ଶିବତ୍ୱ ପ୍ରାପତ ହୁଏ।
ଶିବୁ କଲ୍ୟାଣେ ଧାତୁରୁ ଉତ୍ପତ୍ତି
ନିଜେ ଆତ୍ମା ନାମ ଶିବ ।
ଅଜପା ନାମରେ ଜପକୁ ଜପିଲେ
ଜ୍ଞାନ ଆଲୋକ ଜଳିବ।
ଗିରୀଶ ନାମରେ ନାମିତ ହୁଅନ୍ତି
ଆମ ପାଇଁ ସମର୍ପିତ ।
ଶରୀରରେ ଆମ ମୁଖ୍ୟ ଅଙ୍ଗ ଶିର
ବ୍ରହ୍ମନ୍ଧ୍ର ସେଠି ସ୍ଥାପିତ।
ଓଁକାର ହେଉଛି ଆତ୍ମାର ନାମଟି
ଉଚ୍ଚାରଣ କରୁଥାଅ ।
ଭୂତ, ଭବିଷ୍ୟତ ବର୍ତ୍ତମାନ କାଳ
ଶକତି ହେବ ପ୍ରାପତ।
ଜୀଵ ଜଗତର କଲ୍ୟାଣ ନିମନ୍ତେ
ଶରୀର ଧାରଣ କରି ।
ସବୁ ହିଂସ୍ର ଜନ୍ତୁ ଧରି ବସିଛନ୍ତି
ନୁହଁନ୍ତି କାହା ବଇରୀ।
ସୁଖି ପରିବାର ଗଠନ ନିମିତ୍ତ
ଦୃଷ୍ଟାନ୍ତ ସେ ଦେଇଥାନ୍ତି ।
ଯୋଗୀ ରୂପେ ସିଏ ବିଖ୍ୟାତ ହେଲେବି
ପରିବାରେ ରହିଥାନ୍ତି।
ଜନ୍ମଠାରୁ ମୃତ୍ୟୁ ସବୁ ରହସ୍ୟ ତ
ଶିବଠାରେ ବିଦ୍ୟମାନ ।
ମୃତ୍ୟୁର ସମୟେ ଶିବ ଉଚ୍ଚାରଣେ
କରିଥାନ୍ତି ସେ କଲ୍ୟାଣ।
ଭକ୍ତି ଶାନ୍ତି ଆଉ ମୁକତିର ରାତ୍ରୀ
ଅଟେ ମହା ଶିବରାତ୍ରୀ ।
ଭକ୍ତ ପୁଲକିତ ମନେ ଉଲ୍ଲସିତ
ସେଦିନେ ହୁଅନ୍ତି ବ୍ରତୀ।
ଉଜାଗର ରହି ଦୀପକୁ ଜାଳିବେ
ଅନ୍ଧାର କରିବେ ଦୂର ।
ଶିବଙ୍କର ଯାହା ଆଶା ଆମଠାରେ
କିଏ ଦେବ ତା ଉତ୍ତର।
ଗୋଟିଏ ଦିନରେ ଉଜାଗର ଆମ
କିବା ଥାଏ ପ୍ରୟୋଜନ ।
ଜୀବନଟା ସାରା ଅନ୍ଧକାରେ ରହି
ଆରାମ ଖୋଜେ ଏ ମନ ।
ଜ୍ଞାନର ଆଲୋକ ଜଳାଇବା ପାଇଁ
ଆଜିଠୁ ନେବା ଶପଥ ।
ବିଶ୍ୱେ ଭାତୃପ୍ରେମ ଜଗାଇବା ପାଇଁ
ହେବା ନାହିଁ କୁଣ୍ଠିତ।
ହିଂସା କ୍ରୋଧ ମୋହ ତ୍ୟାଗ କରିଦେଇ
ସତ ମାର୍ଗ ଆଚରିବା ।
ଯୋଗ ଧ୍ୟାନ ଆଉ ଧାରଣା ପାଇଁକି
ଅନ୍ଧତ୍ୱକୁ ତ୍ୟାଗିଦେବା ।