ସୁଖ ନିଦ୍ରାରେ ଶୋଇବି
ସୁଖ ନିଦ୍ରାରେ ଶୋଇବି

1 min

311
ଦୁଇପଟ ଶଙ୍ଖା
ଟୋପାଏ ସିନ୍ଦୂର
ଯାହାପାଇଁ ନାଇଁ ଥିଲି ।
ଅସମୟେ ସିଏ
ମାଗିନେଲେ ମୋଠୁ
ନିରୁପାୟ ମୁଁ ହୋଇଲି ।
ଲିଭିଲା ସିନ୍ଦୂର
ଭାଙ୍ଗିଲା ମୋ ଶଙ୍ଖା
ଆଖି ଲୁହ ସାଥୀହେଲା ।
ସଂସାର ନଉକା
ମଙ୍ଗ ମୋ' ହଜିଲା
ପଥ କଣ୍ଟକିତ ହେଲା ।
ବିଧିର ବିଧାନ
କପାଳ ଲିଖନ
ଏ ଜୀବନ ମୂଲ୍ୟହୀନ ।
ଶଙ୍ଖା ସିନ୍ଦୂରରେ
ନଜର ପଡିଲା
ଦାଉ ହେଲେ ଜନ୍ତୁ ରାଣ ।
ନାରୀର ଭୂଷଣ
ଚରିତ୍ରଟି ଜାଣ
ଜଗତେ ପୂଜିତା ହୁଏ ।
ଶୂନ୍ୟକପାଳ ତା'
ଦେଖିଦିଏ ଯିଏ
ସେଦିନୁ ନିନ୍ଦା ସେ ପାଏ ।
ଘର ପରିବାର
ସଖା ସହୋଦର
ମୌନ ବ୍ରତ ଆଚରନ୍ତି ।
ତା' ଶଙ୍ଖା ସିନ୍ଦୁର
ସବୁ ତା' ଉତ୍ତର
ପ୍ରଶ୍ନ ପଚାରି ଚାଲନ୍ତି ।
ଅସହାୟ ଶବ୍ଦ
ସେହିଦିନଠାରୁ
ସାଥୀ ତା'ର ହୋଇଥାଏ ।
ସାହାଯ୍ୟର ହାତ
ଅନେକ ବଢାନ୍ତି
ମନେ ସଂକୀର୍ଣ
Advertisement
୍ଣତା ଥାଏ ।
ନାରୀର କଷଣ
ହୃଦ ବିଦାରଣ
ନିଃସଙ୍ଗତା ଆସିଥାଏ ।
ତା' ଶଙ୍ଖା ସିନ୍ଦୂର
ସୁଖ ତା ଛଡାଇ
ଅପବାଦ ଦେଇଥାଏ ।
ସଂଦେହୀ ଜାଲରେ
ଛନ୍ଦା ତା' ଜୀବନ
ହଜିଥାଏ ସ୍ବାଧୀନତା ।
ଦୁଃସହ ଯନ୍ତ୍ରଣା
ତା' ଦେହ ଗହଣା
ମନରେ ତା' ନୀରବତା ।
ତୂଳୀତଳ୍ପ ଶଯ୍ୟା
ଧନ ଦଉଲତ
ତୁଚ୍ଛ ଅଟେ ନାରୀ ପାଇଁ ।
ତା' ଶଙ୍ଖା ସିନ୍ଦୁର
ତା'ପାଇଁ ସମତ୍ତି
ଛଡାଇ ନ ନିଅ ସାଇଁ ।
ବଞ୍ଚି ଥାଉଥାଉ
ମରଣ ତା' ଆସେ
ଦୁର୍ବିସହ ତା' ଜୀବନ ।
ବିନା ତେଲ ଥାଇ
ସଳିତା ପରିକା
କଟିଥାଏ ତା' ଜୀବନ ।
ହସକାନ୍ଦ,ଲୁହ ,
ଅଭିମାନ କୋହ
ଶଙ୍ଖା ସିନ୍ଦୂରରେ ଯାଏ ।
ଜୀବନ ସଳିତା
ଧିମି ଧିମି ଜଳେ
ସ୍ମଶାନକୁ ଜଗିଥାଏ ।
ଯେଦିନ ଲିଭିବ
ମୋ' ଜୀବନ ଦୀପ
ସୁଖର ସ୍ୱାଦ ଚାଖିବି ।
ସ୍ମଶାନ ବୁକୁରେ
ମହା ଆନନ୍ଦରେ
ସୁଖ ନିଦ୍ରାରେ ଶୋଇବି ।