ଯୁଗେ ଯୁଗେ ନାରୀର କଷଣ
ଯୁଗେ ଯୁଗେ ନାରୀର କଷଣ
1 min
133
ଧନ୍ୟ ଏ ମଣିଷ ଧନ୍ୟ ତାର ସୃଷ୍ଟି
ସବୁକୁ ସେ ଭୂଲୁଅଛି,
ମାତୃ ଗର୍ଭୁ ଜନ୍ମ ନେଇଣ ବଢିଛି
ସ୍ମୃତି ପଟେ ନରଖୁଛି ।
କିପରି ନୃଶଂସ ସାଜିଯାଉଅଛି
କ୍ଷଣିକେ କି ସୁଖ ପାଏ,
ନାରୀପରା ସିଏ ସମାଜେ ପୂଜିତା
ଏକଥାକୁ ଭୂଲିଯାଏ ।
ଦୋଃଷ୍କର୍ମରେ ଲିପ୍ତ ରହିବାକୁ ଯେବେ
ମନ ସେ ବଳାଉ ଅଛି,
ମାଆ,ଭଉଣୀ ଓ କନ୍ୟା ପରା ସିଏ
ମନେ କି ତା ନପଡୁଛି ।
ଦୁଃଷ୍କର୍ମ କରୁଛି ଖବର ଛାପୁଛି
ଦଣ୍ଡ ବି ସେ ପାଉଅଛି,
ଅଳପ ଦିନରେ ଖଲାସ ହୋଇଣ
ପ୍ରତିଷ୍ଠିତ ହେଉଅଛି ।
ଯୁଗେ ଯୁଗେ ନାରୀ ଦଣ୍ଡ ପାଉଅଛି
ସମାଧାନ ତାର ନାହି,
ନିଜର ସୁରକ୍ଷା ନିଜେ ନ କରିଲେ
ଉପାୟ ତାହାର ନାହିଁ ।
ଦ୍ରୌପଦୀର ରକ୍ଷା କରିବାପାଇଁକି
ପ୍ରଭୁ ସାହା ହୋଇଥିଲେ,
ସମର୍ପଣ ଭାବ ଆସିଗଲା ଯେବେ
ବସ୍ତ୍ର ଦାନ ଦେଇଥିଲେ ।
ଆଜିର ସମାଜେ ଅଛିଦୁଃଶାସନ
ନାରୀ ପାଏ ନିର୍ଯାତନା,
ପ୍ରଭୁ କଣ ଆଜି ଚେଇଁ ଶୋଇଛନ୍ତି
ଡାକଟି କର୍ଣ୍ଣେ ପଡେନା ।
ବିଧାତା କି ତାର ଭାଗ୍ୟେ ଲେଖିଅଛି
ଏପରି ଯଶା ଭୋଗିବ,
ଜିଇଁଥାଉ ଥାଉ ମୃତ୍ୟୁ ହୁଏ ତାର
ଭାଳିବା ଶ୍ରେୟ ହୋଇବ ।
ହେଉବା ଦେବତା ହେଉବାମଣିଷ
ନାରୀର କଷଣ ଅଛି,
ଦେବକୁଳେ ଜନ୍ମି ଅହଲ୍ୟାର କଷ୍ଟ
ଆଜିବି ପୋଥୀ ଗାଉଛି ।
ଦୋଷ ତାଙ୍କଥିଲା ଚିହ୍ନି ନପାରିଲେ
ସ୍ୱାମୀ ରୂପେ ଦେଖାଦେଲେ,
ଅଭିଶାପ ପାଇ ପାଷାଣୀ ହୋଇଲେ
ପ୍ରଭୁ ତାଙ୍କୁ ଉଦ୍ଧାରିଲେ ।
ହେ ବିଶ୍ୱ କରତା ଏତିକି ମିନତି
ନାରୀ ଦେହେ ଶକ୍ତି ଦିଅ,
ଅପମାନଯେବେ ପାଉଥିବ ସିଏ
ତା ପାଖରେ ଉଭା ହୁଅ ।