କହି ଦେଉଥାଏ ପରକୁ
କହି ଦେଉଥାଏ ପରକୁ
କହିବା ଅଭ୍ୟାସ ଜନ୍ମରୁ ମୋହର
କହିବାକୁ କିଆଁ ଡରିବି
ବିବେକ ରହିତ କଥା ମୁଇଁ କୁହେ
କହି କହି ପ୍ରାଣ ଛାଡ଼ିବି l
ପର ମନ୍ଦ ଚର୍ଚ୍ଚା ଲାଗେ ଭାରି ମଜା
ନିଜ କଥା ଦୀପ ଅନ୍ଧାର
ଚାଲୁଣି ଖୋଜୁଛି ଗୁଣ ବଖାଣୁଛି
କଣାଟିଏ ଅଛି ଛୁଞ୍ଚିର l
ମାଆଟି ମୋହର ଜରାଶ୍ରମେ ଅଛି
ରଘୁଆ ମାଆକୁ ପିଟୁଛି
କେତେ ସେ ନିଷ୍ଠୁର ନାହିଁ ମମତାର
ତା କଥା ବାହାରେ ଗପୁଛି l
ନିଜର ଭାଇକୁ କରି ବିତାଡିତ
ଏକ ଛତ୍ରପତି ହୋଇଛି
ରାମ ଦାମ ଭାଇ କଳିକି ବଖାଣି
ମୁଖେ ଲାଜ ନାହିଁ କହୁଛି l
ଝିଅଟି ମୋହର ଗେଲ ବରସର
ତୃତୀୟ ବିବାହ ଦେଇଛି
ମଦନା ଝିଅଟି ଶାଶୁ ଘରେ ନାହିଁ
ଚରିତ୍ର ଚିତ୍ରଣ କରୁଛି l
ମୋର ଧନ ସୁନା ଅମୁଲ ମୂଲଯେ
ଅନ୍ୟର ଧନ ଭୁତ ଖିଆ
ପରର ତେଲରେ ଚିଲିକା ପହଁରେ
ନିଜର ଧନେ ଏକୁଟିଆ l
ଅଫିସର ହୋଇ ମଦ ପିଉଅଛି
ମୋ ପାଇଁ ନିୟମ ଲାଗେନା
ମଦୁଆ ବାତେରା ଗୋଡ଼ାଇ ଧରୁଛି
ଆଇନିର ଛାଟ ଧରିନା l
ମାଷ୍ଟର ହୋଇ କି ପଢାଉନି ମୁଇଁ
ମଧୁର ବଚନ କହୁଛି
ତୁମର ପୁଅଟା ଭଲ ପଢିବ ଯେ
କୋଚିଙ୍ଗ ତାକୁ ଦିଅ ଯାଇ l
ପେନସନ ମୋର ସତୁରୀ ହଜାର
ବଢିବା ପାଇଁ ଯେ ଲାଗିଛି
ଧନ୍ୟ ସରକାର ବଢିଆ ବିଚାର
ଭତ୍ତାକୁ ଉଠାଇ ଦେଇଛି l
ବାପା ବିପିଏଲ ନାମରେ ପାଇଛି
ତିନୋଟି ଇନ୍ଦିରା ଆବାସ
ପୁଅଟା ତୁମର କମ୍ପାନୀ ଚାକର
ମିଳିବନି ତୁମ ଆବାସ l
ଅନ୍ୟକୁ କହିବା କଟାକ୍ଷ କରିବା
ଅଭ୍ୟାସରେ ପଡି ଯାଇଛି
ନିଜର ଇଜ୍ଜତ ଦାଣ୍ଡରେ ନିଲାମ
ନ ଦେଖି ଅନ୍ୟକୁ କହୁଛି ।
