ଜାଣି ବି ଅଜଣା
ଜାଣି ବି ଅଜଣା
ବସନ୍ତ ଠିକଣା ବଉଳକୁ ଜଣା
କୋଇଲିର କୁହୁ ନିମନ୍ତ୍ରଣ
ଆମ୍ବତୋଟା ମାଳ ମହୁମାଛି ଖେଳ
ନାଲି କାଇଙ୍କର ଖୋଲା ଆମନ୍ତ୍ରଣ ।
ଛାଇର ଠିକଣା ଆଲୁଅରେ ବଣା
ଲୁଚକାଳି ଖେଳ ଚିରାଚରିତ
ଆଖିର ଠିକଣା ଲୁହର ଅଗଣା
ଆକ୍ତାମାକ୍ତା ଚିର ପରିଚିତ ।
ନଈର ଠିକଣା ସାଗର ଗରଭ
ଲୁଣିଆ ହେଲେବି ବାସେ
ଶ୍ରାବଣ ଠିକଣା ବିଜୁଳିକୁ ଜଣା
କାଦୁଅ କଲେବି ରସେ ।
ମୁକ୍ତାର ଠିକଣା ଶାମୁକା ଭରଣା
ସ୍ଵାତୀ ନକ୍ଷତ୍ରକୁ ଖୋଜେ
ଅନନ୍ତ ମିଳନ କ୍ଷରିଲେ ବୁନ୍ଦନ
ମୋତି ଅଙ୍କୁରେ ମଉଜେ ।
ସୁବାସ ଠିକଣା ପ୍ରସୁନ ବରଣା
ପ୍ରଭଞ୍ଜନ ତାଳେ ଉଡ଼େ
ମନର ପାଉଣା ହୃଦୟକୁ ଜଣା
ନିତି କୁତୁକୁତୁ ମାଡ଼େ ।
ଜ୍ୟୋସ୍ନାର ଠିକଣା ଜହ୍ନକୁ ହିଁ ଜଣା
ପୂର୍ଣ୍ଣମୀ ତିଥିରେ ପୂର୍ଣ୍ଣେନ୍ଦୁ
ଆକାଶ ଠିକଣା ତାରାଙ୍କ ଅଗଣା
ରାତ୍ରିପଥେ ଫୁଟେ ବିନ୍ଦୁ ବିନ୍ଦୁ ।
ଛାତିର ଠିକଣା ସ୍ପନ୍ଦନକୁ ଜଣା
ଅବର୍ଣ୍ଣନୀୟ ସେ ପ୍ରୀତି
ଓଠର ଠିକଣା ହସକୁ ହିଁ ଜଣା
ବିମ୍ଵ ପରି ରଚେ ରତି ।
ଷୋଡ଼ଶୀ ଠିକଣା ଭ୍ରମରକୁ ଜଣା
ଘୁରିବୁଲେ ଛତ୍ରେ ଛତ୍ରେ
ପ୍ରେମୀକା ଠିକଣା ପ୍ରେମୀକକୁ ଜଣା
ବିବାହ ପରେ ବି ମାତ୍ରେ ।
ଜୀବନ ଠିକଣା ଶ୍ମଶାନକୁ ଜଣା
କୋକେଇରେ ବନ୍ଧା ପଡ଼ିଛି
ମୃତ୍ୟୁର ଠିକଣା ମଣିଷେ ଅଜଣା
ଜାଣି ବି ଅଜଣା ଧାଉଁଛି ।
