STORYMIRROR

Aparti Charan Sethi

Comedy

3  

Aparti Charan Sethi

Comedy

ଇସ୍ତାହାରର ଗଳ୍ପ

ଇସ୍ତାହାରର ଗଳ୍ପ

1 min
10


ମେଣ୍ଢା ମାନଙ୍କୁ କହିଲେ ବାବୁ

   ଶୁଣରେ‌ ମେଣ୍ଢାଦଳ‌,

ତୁମମାନଙ୍କୁ ଭାବିଛି ଦେବି

   ଗୋଟେ‌ ଗୋଟେ‌ କମଳ।

ଏକଥା ଶୁଣି ମେଣ୍ଢାଙ୍କ ଖୁସି

   କହିଲେ ସରେ‌ ନାହିଁ,

ବାବୁଙ୍କ ପରି ଦୟାଳୁ‌ ବ୍ୟକ୍ତି

    ନାହିଁ ଏଠାରେ କେହି।

କିନ୍ତୁ ଗୋଟିଏ ମେଣ୍ଢା ଛୁଆଟି

    ମାଆକୁ ପଚାରିଲା,

କେଉଁଠୁ ବାବୁ କମଳ ଆଣି

    ଦେବେ ଆମକୁ ଭଲା।‍

ଆମରିଠାରୁ ରୁମ ଗୁଡିକ

    ଚାଞ୍ଛି‌ ଚୁଞ୍ଛିକି ନେବେ,

ଆମରି ଧନ ଆମକୁ ଦେଇ

    ଦାତା ଯେ ବୋଲାଇବେ।

କଥା ପଦକ ମେଣ୍ଢା ମାନଙ୍କ

    ମନକୁ ପାଇଗଲା‌,

ତେଣୁ ବାବୁଙ୍କ ଅସଲ ରୂପ

    ପଦାରେ ପଡିଗଲା‌।

କହିଲେ ଦେଖ ଆଗକୁ ଆସେ

    ଦେଶରେ ନିର୍ବାଚନ,

ଅନେକ ଇସ୍ତାହାର ସହିତ

    କହିବେ ପ୍ରବଚନ।

କିଏ ସେ ହାତୀ ଘୋଡ଼ା ଯାଚିବେ

   କିଏ ଯାଚିବେ ଧନ,

ନାନା ଯୋଜନା ଉପହାରରେ

   କିଣି ନେବେ ଯେ ମନ।

କୋଉଠୁ ଆଣି ଦେବେ ଏ ବାବୁ

   ଉଠୁଛି ଆଜି ପ୍ରଶ୍ନ,

ଆମରି ଠାରୁ ଆଦାୟ ହେବ

   ନିଶ୍ଚିତ ଭାଇ ଜାଣ।

ଲାଞ୍ଚ ଦେଇକି ମେଣ୍ଢା ମାନଙ୍କ

   ସର୍ବସ୍ବ ନେବେ ଲୁଟି,

ବାଳିଆ ଝାମ୍ପି ମାରିବେ ଆଣି

   କେରାଣ୍ଡି ଥୋପ‌ ଗୁନ୍ଥି।

ଭୋଟ୍ ନିମନ୍ତେ କାହାର କେତେ

   ଧରିବେ ଗୋଡ଼ ହାତ,

କାହାକୁ କହି ମ‌ଉସା ଭାଇ

   କରିବେ ଦଣ୍ଡବତ‌।

ବାବୁମାନଙ୍କ ଗୋଟିଏ କଥା

   ଜିତି ସାରିଲା ପରେ,

ମେଣ୍ଢା ମାନଙ୍କ ମାଂସ ଖାଇବେ

    ଯୋଜନା ଅନୁସାରେ।

ଗଣତନ୍ତ୍ରର ସ୍ଵରୂପ ଭାଇ

    ହୋଇବ ଜଣତନ୍ତ୍ର,

ପ୍ରଜାମାନଙ୍କ ଶୋଷଣ ପାଇଁ

    ଚାଲିବ ନାନା ସୂତ୍ର।

ଏମିତି ଦେଶ ଶାସନ କଳ

    ଦେଖୁଛୁ‌ ସବୁଦିନ,

ଫାଇଲି ତଳେ ଆଇନ୍ ଶୋଇ

    ଦେଖେ ରଙ୍ଗୀନ ସ୍ଵପ୍ନ।

ଏ ଇସ୍ତାହାର ପାଣିର ଗାର

    ଜାଣିଥା‌ ଭାଇ ମୋର,

ନିଜ ବିଚାର କର ହେ ଦୃଢ଼

    ତୁ ସତ‌ ସରକାର।

ତେଣୁ ମୌଳିକ ଅଧିକାରକୁ

    ସାବ୍ୟସ୍ତ କଲାବେଳେ,

ଉଚିତ୍ ପ୍ରାର୍ଥୀ ଦେଖି ମୋହର

    ମାର‌ ହେ ବାଲାଟରେ‌।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy