ହଜାର ମୃଗତୃଷ୍ନାର ଛବି
ହଜାର ମୃଗତୃଷ୍ନାର ଛବି
ଧୁ ଧୁ ଖରାବେଳ, ନିଛାଟିଆ ଦ୍ୱିପ୍ରହର,
ଶୁନ ଶାନ ରାସ୍ତା ଘାଟ,ନିରାଶାର ରଣହୁଙ୍କାର,
ଗାଆଁ ମୁଣ୍ଡ ବରଗଛ କୋଳେ ହତାଶାର କୁଢ଼ କୁଢ଼ ଶବ,
କିଏ ସେ ଆଙ୍କିଛି ଆଜି ହଜାର ମୃଗତୃଷ୍ଣାର ଛବି ?
ଆଶାର ମାଟିକାନ୍ଥରୁ ଝରିଯାଇଛି ଭରସାର ଶେଷ ନାଲି ରକ୍ତ ବିନ୍ଦୁ,
ରହିଯାଇଛି ଖାଲି ଜରାଜୀର୍ଣ୍ଣ କଙ୍କାଳର ଅବଶିଷ୍ଟାଙ୍ଗ,
ତାକୁ ବି ଉଦ୍ଧତ ସୌଦାଗର ନିଲାମ କରିସାରିଲାଣି
ଫର୍ଚ୍ଚା ଦିବାଲୋକେ,ବିଚ୍ ବଜାରରେ,
ଆଉ କଣ ଅଛି ଯେ ବାକି ?
ଇତଃସ୍ତତଃ ମନ ଭିତରେତଥାପି ଗଜରୁଥାଏ
ସତ ମିଛ, ମନ ଗଢା, ଜୀବନ ଜୁଆରେ ହାରିଥିବା
ବେଗମ୍,ବାଦଶାହର ରଙ୍ଗୀନ କାହାଣୀ,
ଗାଆଁ ଆମ୍ବ ତୋଟା ସବୁଜିଆ ଧାନ କ୍ଷେତ,
କ୍ଷେତ ଧାରେ ଧାରେ ଲହଡ଼ି ଭାଙ୍ଗୁଛି
ଅଳସି ଫୁଲର ଈଷତ୍ ଲାଜମିଶା ଫୁଲେଇ ହସ,
ଖଣ୍ଡେ ଦୁରୁ ଶୁଭିଲାଣି ପାଉଁଜିର ଛମ୍ ଛମ ଶବ୍ଦ
ଆକାଶର ଇଶାରାରେ ଇନ୍ଦ୍ରଧନୁ ଆଙ୍କିବାର ଉପକ୍ରମ
ମାୟାମୃଗ ଖଣ୍ଡେ ଦୂରେ ଥାଇ ଉପହାସ କରୁଛି
ମାପୁଛି ଅକ୍ଷାଂଶରୁ ଦ୍ରାଘିମାର ଦ୍ୟେର୍ଘ୍ୟ
କଷୁଛି ଜୀବନ ବୀଜଗଣିତ,
ଏଠି ଗଣିତ, ମାନସାଙ୍କ ସାମାନ୍ୟ ଭିନ୍ନ
ଏଠି ଦୁଇରେ ଦୁଇ ଗୁଣିଲେ ଚାରି ହୁଏନି
କି ଦୁଇରେ ଦୁଇ ମିଶିଲେ ଚାରି ହୁଏନି ସବୁବେଳେ,
ହିସାବ ନିକାଶର ଚକ୍ରବ୍ୟୁହରେ
ଫସିଯାଏ ଜୀବନର ସମସ୍ତ ଆୟୁଷ।।