ଗାଆଁରେ କରୋନାର ପ୍ରଭାବ
ଗାଆଁରେ କରୋନାର ପ୍ରଭାବ
(୧)
କେବେ ପାଦ ପଡୁନଥିବା ଗାଆଁର ପୁଅ
ନିଜ ନିଜ ଘରକୁ ଫେରିଛନ୍ତି
ଜନ୍ମ ଦେଇଥିବା ମାଆ ଆଉ ପରିବାର
ସହ ବହୁ ସମୟ ବିତାଉଛନ୍ତି
ମନେପକାଉଛି ପିଲାଦିନର ସ୍ମୃତିକୁ
ସେ ଗାଆଁକୁ ଆସିଛି ବୋଲି
ବୁଝୁଛି ସହରଠୁ ଗାଆଁର ଉପାଦେୟତାକୁ
କରୋନା ଆସିଛି ବୋଲି ।
(୨)
ସହର ସହର ଲାଗୁଛି ଗାଆଁଟା ଆଜି
ଗାଆଁକୁ ସହରୀ ବାବୁ ଆସିଛି
ସଜ ପରିବା ଖାଇବ ବୋଲି
ସକାଳୁ ହାଟ ବଜାର ବସୁଛି,
ସହରର ପିଜା ବରଗର ବିରିୟାନିକୁ
ଧିରେଧିରେଯାଇଛି ଭୁଲି
ପଖାଳ ଶାଗ ଭଜାକୁ ନିତି ଖାଉଛି
କରୋନା ଆସିଛି ବୋଲି ।
(୩)
ଗାଆଁ ଗହଳିର ଅପାଠୁଆ ଲୋକଙ୍କୁ
ଜଣାନଥିଲା ମାସ୍କ କି ସାନିଟାଇଜର
ବାରମ୍ବାର ହାତ ଧୋଇବା ଅଭ୍ୟାସ
ପ୍ରତିକ୍ଷଣେ କରୁଛି ତାକୁ ନିଜର,
ସାମାଜିକ ଦୂରତ୍ୱକୁ ବଜାଇ ରଖୁଛି
ଅଯଥାରେ ନ କରି ସେ ଗହଳି
ଘରେ ରହି ରାମାୟଣକୁ ପୁଣି ଜାଣୁଛି
କରୋନା ଆସିଛି ବୋଲି ।
(୪)
ଶୁଭୁ ନାହିଁ ଗାଡି ମଟରର ଶବ୍ଦ
ଶୁଣିବାକୁ ମିଳୁଛି ପକ୍ଷୀର ସ୍ୱର
ସକାଳେ ସଞ୍ଜରେ ଭାସିଆସୁଛି
ସ୍ଵଛ ଶୀତଳ ଓ ସ୍ନିଗ୍ଧ ସମୀର,
ଲାଗୁଅଛି ସତେ ଗାଆଁଟି ଶାନ୍ତ ନିର୍ଜନ
କାହାସାଥେ ନାହିଁ କାହାରି କଳି
ଗାଆଁଟା ଆଜି ସରଗଠୁ ସୁନ୍ଦର ହୋଇଛି
କରୋନା ଆସିଛି ବୋଲି ।
(୫)
ସୁଖ ଆଉ ଦୁଃଖ ଆସେ ଜୀବନରେ
ଆଗପଛ ହୋଇ ସଭିଙ୍କ ପାଖକୁ
କିନ୍ତୁ କରୋନା ଆଣିଛି ଆଜି ଦୁଃଖ
ଗାଆଁଠୁ ସହର ଏକା ସାଙ୍ଗେ ସଭିଙ୍କୁ,
ଗରିବ ଖଟିଖିଆ ଲୋକଙ୍କ ଆଖିରେ
ସତେ ପଡିଛି ଆଜି ଧୂଳି
ନା କାନ୍ଦି ପାରୁଛି ନା ହସିପାରୁଛି
କରୋନା ଆସିଛି ବୋଲି ।
(୬)
ଗାଆଁକୁ ନ ଆସୁ ବୋଲି କରୋନା
ଗାଆଁର ପ୍ରବେଶ ହୋଇଛି ନିଷେଧ
ବାହାର ଲୋକ ଗାଆଁକୁ ଆସିଲେ
ହାତ ଧୋଇ କରୁଛି ବିଶୋଧ,
ମାନବିକତାକୁ ସଦା ବଜାୟ ରଖି
ସରକାରୀ ନିୟମ ମାନୁଛି ଚଳି
ସମୟ ଉପରେ ସବୁ ଦେଇଛି ଲଦି
କରୋନା ଆସିଛି ବୋଲି ।
