STORYMIRROR

Dr Padarabinda Rath

Inspirational

3  

Dr Padarabinda Rath

Inspirational

ଦୂର ଦିଗନ୍ତ

ଦୂର ଦିଗନ୍ତ

1 min
14K


କାହିଁକି ପଢ଼ିବୁ ?

ତୁ ଝିଅ ଛୁଆଟେ,

ପାଠ ପଢ଼ି କଣ କରିବୁ ?

ଯେତେ ଅଧିକ ପଢିବୁ

ବର ଖୋଜୁ ଖୋଜୁ ସେତିକି ହିନସ୍ତା

ଭାଇକୁ ପଢ଼ିବାକୁ ଦେ,

ଭବିଷ୍ୟତରେ ତୋ କଥା ବୁଝିବ

ତୁ ଖାଲି ଘର କରଣା ଶିଖ୍

ବାହାଘର ପରେ କାମରେ ଆସିବ


କାହିଁକି ଖେଳିବୁ ?

ତୁ ଝିଅ ଛୁଆଟେ

ଖେଳରେ ତୋ ଦେହ ହଲିଲେ

ଚାରି ଆଡ଼େ ଘୁରି ବୁଲୁଥିବା

ଆଖିର ନିଆଁରେ

ଆଖି ପିଛୁଳାକେ ଜଳି ପୋଡି ଯିବୁ

ଘରେ ବସି ସିଲେଇ ଶିଖ୍

ଦୁର୍ଦ୍ଦିନରେ ସାହାଯ୍ୟ କରିବ


କାହିଁକି ହସିବୁ ?

ତୁ ଝିଅ ଛୁଆଟେ

ତୋ ଖିଲିଖିଲି ହସ ଶୁଣିଲେ

କାନ୍ଥ ବାଡ଼ର କାନରେ କଣ୍ଟା ଫୁଟିବ

କିଏ ଜାଣେ

କେତେବେଳେ, କିଏ, କୋଉବାଟେ

ତୋ ଦେହ, ମନକୁ ବିଦ୍ଧ କରିଯିବ

ଚୁପ ରହିବା, କାନ୍ଦିବା ଶିଖ୍

ବଞ୍ଚି ରହିବାରେ ସାହାଯ୍ୟ ହେବ


ସ୍ୱପ୍ନ ଦେଖିବୁ ?

କେମିତି ସମ୍ଭବ !

ପୁରୁଷ ସର୍ବସ୍ୱ ପଥରେ ତୁ ଖାଲି ପଥିକଟିଏ

ନା ଦିଗନ୍ତ ଆସିବ, ନା ସୁରୁଜ ଉଇଁବ

ମୃଗତୃଷ୍ଣା ପଛରେ ଧାଇଁ ଧାଇଁ

ଖାଲି ଯାହା ହନ୍ତ ସନ୍ତ ହେବୁ

ସ୍ୱପ୍ନ ଦେଖନା

ଇଚ୍ଛା ମାନଙ୍କୁ ଶିଖାଇ ଦେ

କେମିତି ଆଦେଶ ମାନିବାକୁ ହୁଏ


ନାଇଁ ବାପା, ମୁଁ ପାଠ ପଢ଼ିବି

ଝିଅ ଛୁଆଟେ ବୋଲି ହିଁ ପାଠ ପଢ଼ିବି

ତୁମକୁ ପଛରେ ହିନସ୍ତା କରିବିନି

ଭାଇ ଉପରେ ବୋଝ ହେବିନି ବୋଲି ପାଠ ପଢ଼ିବି

ମନଇଚ୍ଛା କେହି ମୋତେ

ଜାଳି ପୋଡ଼ି ପାରିବନି ବୋଲି ପାଠ ପଢ଼ିବି

ହସିବି, ଖେଳିବି, ସ୍ୱପ୍ନ ଦେଖିବି

ଜୀବନ ଜିଇଁବି ବୋଲି ପାଠ ପଢ଼ିବି

ଆଖିର ନିଆଁ, କାନର କଣ୍ଟାକୁ

ନଷ୍ଟ କରିବାକୁ ପାଠ ପଢ଼ିବି

ତୁମେ ମୁଣ୍ଡ ଉଠାଇ ଚାଲିବ

ମୋ ପରି ଆଉ କେହି

ଘର କଣରେ ବସି କାନ୍ଦିବା ନଶିଖୁ,

ହସିବା ନଭୁଲୁ ବୋଲି ପାଠ ପଢ଼ିବି

ହଁ, ମୁଁ ପାଠ ପଢ଼ିବି . . .


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational