ସେଇ ପାଦରେ ମୋ ମୁଣ୍ଡ
ସେଇ ପାଦରେ ମୋ ମୁଣ୍ଡ
ଦୁଇଟି ପାଦ ଦେଖିଲି
ତଳିପାର ଛାଲ ଉତୁରି
ଭିତରର ମାଂସକୁ ପବନ ଦେଉଥିଲା
ପଚାରି ବୁଝିଲି
ପାଦ ଦୁଇଟି ଥିଲା ସେଇ ଲୋକର
ଯିଏ ଆଣ୍ଠୁଏ ପାଣିରେ
ରୋଜ ଆଠ ଘଣ୍ଟା
ହାତରେ ରାଇଫଲ ଧରି
ସରହଦ ଆଉ ଆମ ନିଦକୁ
ବରାବର ଜଗି ରହିଥାଏ
ଯାହାକୁ କେହି କେହି
ଦରମା ଖିଆ ଚାକର ବି କୁହନ୍ତି
ସେ କିନ୍ତୁ ସବୁ ଶୁଣି କିଛି ଶୁଣେନି
ଆଖି ତାର ଲାଗି ରହିଥାଏ
ନୋ ମ୍ୟାନସ୍ ଲ୍ୟାଣ୍ଡ୍ ର
ତାରବାଡ଼ ଉପରେ
ଲୁଚି ଲୁଚି ପଶିବାକୁ ଚେଷ୍ଟା କରୁଥିବା
ବଣୁଆ କୁକୁରଙ୍କ ଉପରେ
ପଚାରିଲେ କୁହେ
ସେତେବେଳେ ଆଉ କିଛି ଭାବେନି
ପାଦ କଟିଯାଉ, ମୁଣ୍ଡ ଉଡ଼ିଯାଉ
ହେଲେ ମା ର ପଣତକୁ ଦାଗ ନଲାଗୁ
ଭାଇ ଭଉଣୀଙ୍କ ନିଦ ନଭାଙ୍ଗୁ
ମୋ ନାଁ ର ଚୁଡ଼ି ପିନ୍ଧି ଯିଏ ଘରକୁ ଆସିଛି
ସେ ମୋ ପରମାୟୁ ଜାଣିଛି
ତଥାପି ସେ ମୋ ପୁଅକୁ
ମୋ ଫଟା ପାଦର ଫଟୋ ଦେଖାଏ
ମୋ ପରେ ମୋ ପୁଅ ଆସି
ଏଇଠି, ଏମିତି ପହରା ଦେବ
ମା ର ଦେଖା ରଖା କରିବ
ଏଇଆ ଶିଖାଏ
ଆଉ ଅଧିକ କଣ ଲୋଡ଼ା ?
ସବୁ ଶୁଣି ମୋର ମନେ ପଡ଼ୁଥିଲା
ଆଠ ଘଣ୍ଟିଆ ଚାକିରୀ,
ବାତାନୁକୁଳିତ କୋଠରୀ
ଗରମ କଫି, ଅଫିସ୍ ର ଗୁଲି ଖଟି
ନିଜର ଅଧିକାର ଏବଂ
ଅନ୍ୟମାନଙ୍କର କର୍ତ୍ତବ୍ୟର ଲମ୍ବା ଧାଡ଼ି
ଆଉ ତାରି ଭିତରେ
ଦେଶର ଉନ୍ନତି ପାଇଁ
ଯାବତୀୟ ଇନ୍ଦ୍ରଧନୂଷୀ ବ୍ୟର୍ଥ ଚିନ୍ତା
ଭିତରୁ କେହି ଜଣେ
ସରମରେ ମରି ଯାଉଥିଲା
ସେଇ ଛାଲ ଉତୁରା ପାଦ ତଳେ
ମୁଣ୍ଡକୁ ଢୁ ଢୁ ପିଟୁଥିଲା
