ଧନ୍ୟ ଏ ଯୁଗ ପ୍ରେମ
ଧନ୍ୟ ଏ ଯୁଗ ପ୍ରେମ


ଶୁଣ ଶୁଣ ସୁଧିଜନେ
ଦେଇ ମନ ଧ୍ୟାନ
ଏ ଯୁଗର ପ୍ରେମ ଗାଥା
କରୁଛି ବଖାଣ।
କିଏ କହେ ଟ୍ରୁ ଲଭ୍
କିଏ ସତ୍ୟ ପ୍ରେମ କହେ
ଆଖି ନ ଦେଖୁଣୁ
ହାର୍ଟ ବନ୍ଧା ପଡ଼ିଯାଏ।
ଶୁଣ ଶୁଣ ସୁଜନ ହେ
ପ୍ରେମର ଅମୃତ ଏ ବାଣୀ
ସଜାଗ ନ ହେଲେ
ସୁଳୁପେଇ କି ଦେବ ଇଏ ହାଣି।
ଆଜିକାଲି ପ୍ରେମ ପାଠ
ଅଲଗା ପ୍ରକାର
ବୁଝି ନ ପାରିଲେ ବାବୁ
ହେବୁ ନାରଖାର।
ଠେଲା ଦୋକାନରେ ଆଜି
ମିଳେ ପ୍ରେମ ଯେ ଶସ୍ତାରେ
ଡିସକାଉଣ୍ଟ ଲାଗିଛି ଏଠି
ମନ ଦିଆ ନିଆରେ।
ଜଣଙ୍କୁ ସେମାନେ ଦିଅନ୍ତି ହାର୍ଟ
ଜଣଙ୍କ ସାଙ୍ଗରେ କରନ୍ତି ଚାଟ
ଲୁଚି ଲୁଚି ସତେ ପୁଣି
କେତେଙ୍କୁ ଡାକନ୍ତି ସ୍ମାର୍ଟ।
ଦେଖା ନାହିଁ ଜଣା ନାହିଁ
ରାତିସାରା ଗପର ଆସର
ମିସଡ୍ କଲ୍ ଖଣ୍ଡକରେ
ପ୍ରେମ ହୁଏ ଟ୍ରାଂସଫର୍।
ଇଂଷ୍ଟା ଫୋଟୋ ଦେଖି
ଆହା କୁରୁଳେ ଯେ ମନ
ତୁରନ୍ତ ମେସେଜ ଯାଏ
ତୁମେ ସୁନ୍ଦରୀ ମୋ ଧନ।
ହ୍ୱାଟ୍ସଆପ୍ ଚାଟିଂ ରେ
ଲାଗିଛି ଅଫର
ବାଏ ୱାନ୍ ଗେଟ୍ ୱାନ୍
ଉପଲବ୍ଧି କର।
ଆଇ ଲଭ୍ ୟୁ ଖଣ୍ଡେ ଖଣ୍ଡେ
ମିଳୁଛି ଯେ ଫ୍ରୀ
ପ୍ରୋପଜ୍ କରିବ ଯଦି
ଦେଇ କାଡବରୀ।
ଧନ୍ୟ ଏ ଯୁଗ ପ୍ରେମ
ଯାହା ବିଳାସ ବ୍ୟସନ
ଟଙ୍କା ଖର୍ଚ୍ଚ ଦେଖି
ଏଠି ମିଳେ ଯେ ଚୁମ୍ବନ।
ପ୍ରେମର ମାପକ ଏଠି
ରେଷ୍ଟୁରାଣ୍ଟ ବ୍ରାଣ୍ଡେଡ୍ ଡ୍ରେସ
ଦି ଦିନ ପରେ ନାଲି କୋଠା
ଡାକେ ଆସ ଆସ।
ବାବୁ, ସୋନା,
ଗେଲୁ ମୋର
ସେନେହେ ଡାକନ୍ତି
କାଇଦା କରି ପଛ ପଟୁ
ଭଲକି ମାରନ୍ତି।
ଆଜି ପ୍ରେମ କାଲି ଖେଳ
ପରଦିନ ଲଙ୍ଗ ଡ୍ରାଇଭ୍
ଖିଆପିଆ ସପିଙ୍ଗ ସାରି
କରିଦେବେ ରିଜେକ୍ଟ ଲିଷ୍ଟ୍।
ଟଙ୍କା ପଇସାର ଏଠି
ସବୁ କରାମତି
ଡାବୁ ସରିଗଲେ
ହୁଏ ସମ୍ପର୍କର ଇତି।
ଯେତେ ଖୋଜିଲେ ବି
କେଣେ ମିଳେ ନାହିଁ ସିଲ
ପ୍ରେମ ନୁହେଁ ଏ ତ
ଗୋଟେ ଦେହ ମାୟାଜାଲ।
ଭିତରେ ଭିତରେ ସବୁ
ଦେଉଥାନ୍ତି ଦୋଷ
ଉପରେ କେଡେ ସୁନ୍ଦର
ମକା ଦାନ୍ତିଆ ହସ।
ବ୍ରେକ୍ ଅପ ପ୍ୟାଚ୍ ଅପ
ଆଉ ଦଦରା ହୃଦୟ
ଟୋକା ଟୋକୀଙ୍କ ପାଇଁ
ନୁହେଁ ଚିନ୍ତାର ବିଷୟ।
ବେହିଆ କିଛି ଜଣ
ହେଇଛନ୍ତି ଭରା
ଧୋକା ପାଇ ନେଇଥାନ୍ତି
ମଦର ସାହାରା।
କୁଳାଙ୍ଗାର କରି ଥା'ନ୍ତି
ଇଜ୍ଜତର ଖେଳ
କାମ ସାରିଦେଇ
ଭିଡିଓ ହୁଏ ଭାଇରାଲ।
ଦେହ ସହ ଖେଳି ସାରି
ମନ ବୁଝେ ନାହିଁ
ହାତକୁ କାଟନ୍ତି
ନଚେତ୍ ଏସିଡ ଛାଟନ୍ତି।
ମହରଗ ଦୁନିଆରେ
ପ୍ରେମ କଳଙ୍କିତ
ଶାଶ୍ଵତ ଚିରନ୍ତନ ଦୁହେଁ
ଏଠି ନିଷ୍ପେସିତ।
ଭାରି କଲବଲ କରେ
ଏ ଅଢେଇ ଅକ୍ଷର
ପବିତ୍ର ପ୍ରେମ ଲଭିବା
ଆଜି ସତରେ ରେଆର।
ଦୂରେଇ ରହିଲେ ଜାଣ
ବାମ୍ଫ ତ ନେବନି
ଥରେ ପ୍ରେମ କଲେ ବାବୁ
ଲାଇଫ୍ ଟୋଟାଲ୍ କିରୋସିନି।
ଯେତେ ବଖାଣିଲେ ବି
ସରିବନି ତା କାହାଣୀ
ଏତିକିରେ ଠିପି ମାରି
ରଖୁଛି ଲେଖନୀ।