ଦେଶୀ କଙ୍କଡା
ଦେଶୀ କଙ୍କଡା
ମାନସ ମନ୍ଥନ ନିତ୍ୟ ଚିରନ୍ତନ
କୁବୁଜା ବଥ ପରାଏ,
ମୂଳ ଅଛି ଚୂଳ ଫଳ ମହାକାଳ
ଦେଶୀ କଙ୍କଡା ପ୍ରାୟେ ॥
ଗୋଳିଆ ମନରେ ଉପମା ବାସନ୍ତୀ
ଶରଦ ଆକାଶେ ଶଶୀ,
ଆମରି ଭାଷଣ ମୁଗୁନି ପାଷାଣ
ନିଘା ଦ୍ୱାପର ବଇଁଶୀ ॥
ମିଛ ଖଚ ଆମ ଆତ୍ମୀୟ ସୋଦର
ସପନ ଦିବ୍ୟ ଠକେଇ,
ମନବୋଧ ଚଉ- ତିଶା ଗାଉଥାଏ
ବିଭବ ଆମ କୋକେଇ ॥
ହିଂସା ଦ୍ୱେଷ ଇର୍ଷା ସବୁରି ବେଉଷା
ସ୍ୱାର୍ଥକୁ କରି ସାରଥି,
କ୍ରାନ୍ତି ଦିବସରେ ନେଉଛୁ ଶପଥ
ସାଜିଣ ଶୋଷଣ ରଥି ॥
ଗରୀବ ରକ୍ତରେ ଘୃତ ଅନ୍ନ ଖାଇ
ନିଇତି ମାରୁଛୁ ହାଇ,
ମଝି ଦରିଆରେ ମଗର ପାଟିରେ
କାଳ ରାତ୍ରି ଯିବ ପାହି ॥
ଛଅ ଖଣ୍ତି କାଠ ଶେଷ ଆମ ପୀଠ
କାଳ ରଖିଛି ସଜାଇ,
ତେର ଦିନ ପରେ ଭୂଲିବେ ସୋଦରେ
ଜ୍ଞାତି କୁଟୁମ୍ବକୁ ନେଇ ॥
ଖଜୁରୀ ଗଛର କି ଗୁଣ ଗାଇବା
ମୂଳରୁ ପାହାଚ ପାହାଚ,
ଦେଶୀ କଙ୍କଡାକୁ ଗୋଳିଆ ପାଣି ଯେ
ଏତ ସମୟ ଉବାଚ ॥