STORYMIRROR

Santosh Kumar Ojha

Fantasy

4  

Santosh Kumar Ojha

Fantasy

ବର୍ଷା

ବର୍ଷା

1 min
400

ନିଦାଘର ନିର୍ମମ ନିର୍ଯାତନ

ନିୟତିର ନିଷ୍ଠୁର ଆଚରଣ

ନିର୍ଜନତାର ନିର୍ବାସନ

ନିରିମାଖୀ ଧରିତ୍ରୀର

ନିର୍ଜଳା ଉପବାସ ପରେ

ଆକାଶ ଆଖିରୁ ଝରି ପଡ଼ୁ ଥିବା

ଲୁହ ଟୋପାଟିର ନାଆଁ ବର୍ଷା ।


ଉତ୍ତପ୍ତ ପୃଥିବୀ 

ଉତ୍ତପ୍ତ ପାଣି ପବନ ଆକାଶ

ଉତ୍ତ୍ୟକ୍ତ ଜନମାନସ

ଉନ୍ମତ୍ତ ଜୀବ ଜନ୍ତୁ

ଉଷ୍ମ ଝାଞ୍ଜିରେ ଆକ୍ତାମାକ୍ତା

ହୋଇଥିବା ବେଳେ

ଏକ ନୂଆ ଉଦ୍ଦୀପନା ନେଇ

ବିଜୁଳିର ରୋଷଣି ଜାଳି

ଘଡ଼ଘଡ଼ି ର ଟମକ ବଜେଇ

ଯିଏ ଧରାପୃଷ୍ଠକୁ ଆସିଲା

ସେ ଋତୁ ର ନାଆଁ ବର୍ଷା ।


ଆବର୍ତ୍ତନ , ପରିକ୍ରମଣ

ଏକାକାର ,

ଏକାକାର ରାତି ଆଉ ଦିନ

ସମୟର ପରିବର୍ତ୍ତନ 

ବନ୍ଧ୍ୟା ମାଟିରେ ସଂଚରିତ

ନୂତନ ଜୀବନ

ଜଳାର୍ଣ୍ଣବ ମାଟିରୁ ଆକାଶ

ମେଘ ସହ ମେଘର ଆଲିଙ୍ଗନ 

ଘନଘନ ବିଜୁଳିର ସ୍ଫୁରଣ

ଏକ ନୂତନ ସମ୍ଭାବନାରେ

ମସଗୁଲ କୃଷି କୃଷକ କର୍ଷଣ 

ସେ କାଳର ନାଆଁ ବର୍ଷା ।


ଭିଜା ଭିଜା ମାଟିର ବାସ୍ନାରେ 

ହଜି ହଜି

ସୁଗନ୍ଧିତ କୁସୁମର ମହକରେ

ମଜି ମଜି

ଝିପିଝିପି ବରଷାର ପୁଲକରେ

ଭିଜି ଭିଜି

ପ୍ରୀତି ପାଇଁ ସାଥି ଟିଏ ସପନରେ

ଖୋଜି ଖୋଜି

ଯାଉ ଥିବା ଉଦଣ୍ଡି

ଝିଅଟିର ନାଆଁ ବର୍ଷା ।


ଟିକେ ଅମାନିଆଁ , ଟିକେ ଅଝଟିଆ

ଟିକେ ଗେହ୍ଲେଇ କୁ ଟିକେ ଫୁଲେଇ

ଟିକେ ଅଭିମାନୀ ଟିକେ ଆନମନା

ଟିକେ ହସକୁରି ଟିକେ ଲାଜେଇ

ଅସରା ଅସରା ରୂପର ପସରା

ଓଦା କାନି ତଳୁ କରୁଛି ଇସାରା

ଅଣ୍ଟାକୁ ହଲେଇ ଛାତି ଦୋହଲେଇ

ଆସୁଥାଏ ଯେବେ

ସଭିଏଁ କରନ୍ତି ଈର୍ଷା

ମୋ ପ୍ରିୟାର ନାଆଁ ବର୍ଷା ।

  

      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy