ବର୍ଷା ଅଗଣା
ବର୍ଷା ଅଗଣା
ଆକାଶ ସାରା ତ
କଳା ଘୁମନ୍ତ ମେଘ,
ମନର ଦୁଃଖ ଆଉ କୋହ ବି
ବର୍ଷାର ଆଗମନରେ ସ୍ତବ୍ଧ ।
ବର୍ଷା ଆସୁ
ମୋ ଅଗଣାକୁ
କାଦୁଅ କରିଦେଉ,
ରଂଗଣୀ ଫୁଲର ସମ୍ଭାରରେ
ନୂଆ ନୂଆ ସ୍ବପ୍ନ ବୁଣିଦେଉ
ନିଦ ଆସୁନଥିବା ଆଖିକୁ ।
ଏଥରକ ଆଉ
ବାରଣ କରିବିନି ଆସିବାକୁ
ପାରୁଛୁ ଯଦି ଚାଲି ଆ'
ତୋର କୋମଳ ପାଦର
ଚିହ୍ନ ଛାଡି ଯା'
ମୋ ଅଗଣାର କାଦୁଅରେ
ଛାତିର ଗୋପନ ସ୍ଥାନରେ
କବିତାର ଅନ୍ତିମ ଧାଡିରେ
ଏପରି କି ବାରଣର ପ୍ରତିଟି ନାହିଁରେ ।
ଆଉଥରେ ବର୍ଷିଯିବା ଆଗରୁ
ପାରୁଛୁ ଯଦି ଆ'
ଏଥରକ ସ୍ବାଗତ ପାଇଁ କି
ସଜେଇ ସାରିଛି,
ମୋର ସ୍ବପ୍ନର ଝରକା
ପୃଥିବୀର ନିରୋଳା ଇଲାକା
ଇପ୍ସିତ କବିତା ର କଜଳ ରେଖା,
ଲିଭି ଲିଭି ଆସୁଥିବା
ଚଉରା ମୂଳର ସଞ୍ଜ ସଳିତା ।
ପାରୁଛୁ ଯଦି ଆ',
ମୋ ଅଗଣାରେ
ଛାଡି ଦେଇ ଯା
ତୋ କୋମଳ ପାଦର ଚିହ୍ନା
ଚିରକାଳକୁ ଯାହା
ଡଗ୍ ଡଗ୍ ଦିଶୁଥାଉ,
ମୋ ସ୍ବପ୍ନର ସହରରେ
ସ୍ମୃତି ସାଜି ମହମହ ବାସୁଥାଉ ।