ବିଦାୟୀ ବର୍ଷ
ବିଦାୟୀ ବର୍ଷ
ବିଦାୟୀ ବର୍ଷର ସ୍ମୃତି
କେବେ ଆଣେ
ଚୁପି ଚୁପି ହସ ପୀରତି
କେବେ ହାଣିଦିଏ ଛାତି
ତଳେ ସାଇତା ଅଲିଭା
ଇତିହାସର ଲେଲିହାନ କାତି ।
ବିଦାୟୀ ବର୍ଷର ସ୍ତୁତି
କେବେ ତୋଳେ
ଅଳସୀ ଶୀତର ମୂରତି
କାକର ବେଳାର ହିରା- ମୋତି
କେବେ ଆଙ୍କେ
ଝୋଟୀ ରଙ୍ଗୋଲୀ ରଙ୍ଗା ହାତେ
ଗେଣ୍ଡୁଫୁଲର ମହକିତ ମଧୁମତି ।
ବିଦାୟୀ ବର୍ଷର ରୀତି
କେବେ ଗାଏ
ବନ୍ଧୁ ମିଳନର ଜୟଗୀତି
କେବେ ବଜାଏ
ଗୁଣୁଗୁଣେ ସ୍ଵରେ
ମୁଗ୍ଧା ନାୟିକାର ଋଣୁଝୁଣୁ ରତି ।
ବିଦାୟୀ ବର୍ଷର ପ୍ରୀତି
କେବେ କନ୍ଦାଏ
ପ୍ରଥମ ପ୍ରେମର
ଚୋରା ଚୁମ୍ବନ ଭିତି
କେବେ ହସାଏ
ପୁଲକ ମାଦକ ପୁରାଏ
ଗୋଲାପ-ଗଜରା ମଧୁରାତି ।
ବିଦାୟୀ ବର୍ଷର ମତି
କେବେ ଯୋଡ଼େ
ଅତୀତ ଅଠାକାଠିଆ
ଶୂନ୍ ରାତିର ତାତି
କେବେ ମୋଡ଼େ
ଶତାବ୍ଦୀର ଅଟ୍ଟହାସ୍ୟ ତଳେ
ଛୁପିଥିବା ରହସ୍ୟମୟୀ କୀରତି ।
