ବିଚିତ୍ର ବିଡ଼ମ୍ବନା
ବିଚିତ୍ର ବିଡ଼ମ୍ବନା
ମଣିଷ ଲାଗେ ବିଚିତ୍ର ପ୍ରାଣୀ
ବିଚରା ହସେ ବି ରୋଷେ ବି
ବିଚରା ହସାଏ ବି କନ୍ଦାଏ ବି
ମିଶ୍ରିତ ଚିତ୍ରିତ ତା'ର କଥା କାହାଣୀ |
ଯେବେ ମୁଣ୍ଡରେ ନ ଉଠେ ଚୂଳ
ଔଷଧ ଖୋଜେ
ଯେବେ କାଳିଆ ବାଳ ଗହଳେ ଓହଳେ
ନାପିତ ଖୋଜେ
ଯେବେ ଛନଛନିଆ ମଚମଚିଆ
କଳାଭଉଁରିଆ ଶୋଭେ ମଥାନରେ
ମାଇପ ଖୋଜେ
ଆଉ ଯେବେ ଧଳା ଧୋବଳିଆ ଦିଶେ ଚୂଳ
ରଙ୍ଗ/ଡାଇ ଖୋଜେ ।
ବିଚିତ୍ର ବିଡମ୍ବନା ଏଠି
ଯତ୍ର ତତ୍ର ସର୍ବତ୍ର
ଚିନ୍ତନ ବଚନ କଥନରେ
ତାଳମେଳ କାହିଁ
କଳହ ଅହୋରାତ୍ର ।
ମଣିଷ ବାପୁଡ଼ା ଜନ୍ମରୁ ଖାଲିପାଦ
ଗୁରୁଣ୍ଡିଲା ପେଟେଇଲା ଧିରେ
ଥୁକୁଲ୍ ଥାକୁଲ୍ ପାହୁଣ୍ଡ ପକେଇ
ଘର ବାରଣ୍ଡା ହୁଲସ୍ତୁଲ ସାରେ
ବୟସ ବଢିଲା ଚାଲିଲା ଦୌଡିଲା
ଖାଲିପାଦ ହେଲା କ୍ଷତାକ୍ତ
ଚପଲ ପିନ୍ଧିଲା ଜୋତା ଖୋଜିଲା
ଘରେ ବାହାରେ ଭତ୍ପାତ ।
ପାଇଖାନାରୁ ପାର୍ଲିୟାମେଣ୍ଟ
ପାଦୁକା ପାଦତଳେ ଶୋଭିଲା
ଖାଲି ପାଦରେ ବିଣ୍ଡି ଫଟା ନୋଳା
ଶିତ ଦିନେ ରକ୍ତ ଝରିଲା ।
ବଇଦ କହିଲେ ବିଚିତ୍ର ଉପଚାର
ଖାଲି ପାଦରେ ଚାଲ
କାକରିଆ ଦୁବ ଉପରେ ଚାଲ
ଗହଳ ଦୁର୍ବାଦଳ ଗାଲିଚାରେ ମୃଦୁ ପଦପାତ
ରୁକ୍ଷ ଫଟା ପାଦ ପୁଣି କଅଁଳିବ ପଦ୍ମପାଦ ।
ବିଚିତ୍ର ବିଡମ୍ବନା ଆମର
ବାଣୀ - ତର୍କ- ତତ୍ତ୍ଵର ତାଳେ
କୋମଳ କହିବାକୁ ଭାବୁ ଭାବୁ
ବାହାରି ପଡ଼େ ଛାଡିଫଟା ତିରସ୍କାର ହଳେ ।
