ଭଲ ଲାଗେ ମୋତେ ଗାଆଁଟି
ଭଲ ଲାଗେ ମୋତେ ଗାଆଁଟି
ଦେଢ଼ ମାସ ହେଲା ଗାଁ ଛାଡିଲିଣି
ସହରେ କରୁଛି ଡିଉଟି
ଚିକେନ ମଟନ ଆଉ ରୁଚୁନାହିଁ
ଶାଗ ପଖାଳ ରେ ମନଟି ।
ଭଲ ଲାଗେ ମୋତେ ଗାଁଟି...
ତାଲାବନ୍ଦ୍ ଏଠି ବ୍ୟତିବ୍ୟସ୍ତ କରେ
ନ ଥାଏ ଗାଆଁର ମଜାଟି
ଯେଉଁଠି ନ ଥାଏ କଟକଣା ଆଜି
ସିଏ ମୋର ମାଟି ମାଆଟି ।
ଭଲ ଲାଗେ ମୋତେ ଗାଁଟି...
କି ସୁନ୍ଦର ଆହା କି ଆନନ୍ଦମୟ
ଚାଷକାମ ଥାଏ ଯୋଉଠି
ରାତି ପାହିଗଲେ ସୂରୁଜ ଉଇଁଲେ
ରାବ ଦେଇଥାଏ କୁଆଟି ।
ଭଲ ଲାଗେ ମୋତେ ଗାଁଟି...
ଅଷ୍ଟପ୍ରହରୀ ଠୁ ତାରିଣୀ ଯଜ୍ଞ ରେ
ପ୍ରଭୁ ଭାବେ ଯାଏ ମଜ୍ଜି ଟି
ତ୍ରିନାଥ ମେଳା ର ଅପୂର୍ବ ଆନନ୍ଦ
ସହରେ ମିଳୁଛି କେଉଁଠି ।
ଭଲ ଲାଗେ ମୋତେ ଗାଁଟି...
ମାଛ ଧରା ଆଉ ତାସ୍ ସାଙ୍ଗକୁ
କ୍ରିକେଟର ମଜା ସେଇଠି
ମନ୍ଦିର ବେଢ଼ାରେ ଘଣ୍ଟ ବଜେଇ କି
ସନ୍ଧ୍ୟା ର ଆନନ୍ଦ ପାଏଟି ।
ଭଲ ଲାଗେ ମୋତେ ଗାଁଟି...
ଚାରିଟା ବେଳକୁ ଜ୍ଞାନ ଭାଇ ସାଥେ
ସଂଜେ ନିତି ଯାଏ ବୁଲିଟି
ଜଗନ୍ନାଥ ନାମ ଭଜି ଭଜି ଖାଲି
କଟିଯାଏ ମୋର ଦିନଟି ।
ଭଲ ଲାଗେ ମୋତେ ଗାଁଟି...
ସ୍କୁଲ୍ ଦଣ୍ଡାରେ ସାଙ୍ଗ ସାଥୀ ମେଳେ
କେତେ କରୁଥିଲି ମୁଁ ଖଟି
ସୁଯୋଗ ମିଳିଲେ ଭୋଜି ପାଇଁ ଆମ
ଅପେକ୍ଷାର ରବିବାରଟି ।
ଭଲ ଲାଗେ ମୋତେ ଗାଁଟି...
ସକାଳୁ ଉଠିଲେ ଆଉ ଦିଶୁନାହିଁ
ବାପା ବୋଉଙ୍କର ମୁହଁଟି
ଏ ସହର ଆଉ ଲାଗୁନାହିଁ ଭଲ
ମନେ ପଡ଼େ ମୋର ଗାଁ ମାଟି ।
ଭଲ ଲାଗେ ମୋତେ ଗାଁଟି...
କରୋନା ଭୟଟା ଖୁସି ପାଲଟିଲା
ଗାଆଁରେ ବରଷେ ମୁଁ କାଟି
ଭାରି ଭଲ ଥିଲା ଗାଁର ମମତା
ସହରେ ହେଉଛି ମୁଁ ଘାଣ୍ଟି ।
ଭଲ ଲାଗେ ମୋତେ ଗାଁଟି...
ଚାରିଆଡ଼େ ଖାଲି ହାହାକାର ଶୁଭେ
ଭାଇଚାରା ନାହିଁ ଏଇଠି
ଆଗକୁ ପଛକୁ କେହି ନାହିଁ ମୋର
ଜୟ ଜଗନ୍ନାଥ ସାହାଟି ।
ଭଲ ଲାଗେ ମୋତେ ଗାଁଟି...
ଭଲ ଲାଗେ ମୋତେ ଗାଁଟି...
