ଭକ୍ତିପୁଷ୍ପ-୨୮
ଭକ୍ତିପୁଷ୍ପ-୨୮
ଧରଣୀ , ଘରଣୀ
ଯିବାରୁ ରଜନୀ
ଚଞ୍ଚଳା ଚଞ୍ଚଳ ସଖି ହେଲେଣି ,
ମଦନ , ଗୋ-ଧନ
ଗୋପି , ତପି , ଜନ
ଯମୁନା କୂଳକୁ ସର୍ବେ ଗଲେଣି ।
ଯାମିନୀ , କାମିନୀ
କାମନାକୁ ଘେନି
କାମଦେବ ସନ୍ନିକଟେ ଗଲେଣି ,
ଯମୁନା ଯାତନା
ଭୁଲି ଗଲା ସିନା
କହ୍ନେଇ ତା'କୂଳେ ଠିଆ ହେବେଣି ।
ଶ୍ରୀମତି , ସୁମତି
ଅନୂଢ଼ା ସୁକାନ୍ତି
ପଡ଼ୋଶୀ ଷୋଡ଼ଶୀ ରୁଣ୍ଡ ହେଲେଣି ,
ଲଳିତା , ବିଶାଖା
ନାହିଁ ତୁମ ଦେଖା
ଅଳସୀ କଳସୀ କାଖେ ନେଲେଣି ।
ଗୋପାଳ ଓଗାଳ
ଗାଏ ହୋଇ ଭୋଳ
ମଧୁର ମୁରଲୀ ସ୍ବର ଶୁଭୁନି ,
ଗହଳ ଚହଳ
କଦମ୍ବର ମୂଳ
ଡହଳ ବିକଳ ମନ ହେଲାଣି ।
ସହଳ ସହଳ
ଆସଲୋ ବଉଳ
ବଉଳା ବାଛୁରୀ ଧରି ସାଥିରେ ,
କଅଁଳା ବଉଳା
ସଙ୍ଗେ ନନ୍ଦବଳା
ଅପୂର୍ବ ସେ ଶୋଭା ଆହା ସଖିରେ
ହଜିବା ମଜିବା କାହ୍ନୁ ପ୍ରୀତିରେ ।
