ଭିଟାମାଟି
ଭିଟାମାଟି


ଭିଟାମାଟି ସିନା ଅତି ଅନ୍ତରଙ୍ଗ ବଂଶ ବୁଣିଆଦି ମାଟି,
ସେ ମାଟିର ବାସ୍ନା ଅତ୍ୟନ୍ତ ପ୍ରଖର ଚମକାଇ ଦିଏ ଛାତି |
ପିତା-ପିତାମହ କେତେ ପୁରୁଷର ଜନ୍ମଦାତା ସେହି ସ୍ଥାନ,
ସେଇଠି ରହିଛି ସଭିଙ୍କର ଆତ୍ମା ଲୁଚିଛି ଅନେକ ସ୍ଵପ୍ନ |
ଅନୁରାଗ ପୁଣି ପ୍ରୀତିଭାବ ଥାଏ ସେହି ମାଟିର ଛାତିରେ,
ଯିଏ ଯେତେ ଦୂରେ ଥିଲେ ବି ମମତା ଲାଗିରହେ ତା' ସାଥିରେ |
ଭିଟାମାଟି ପାଇଁ କେତେ ଯେ ଲଢେଇ କେତେ ରକ୍ତପାତ ହୁଏ,
ପ୍ରାଚୁର୍ଯ୍ୟରେ ଭରା ରାଜଧାନୀ କୋଠା ତା'ର ସରି କେହି ନୁହେଁ |
ସମସ୍ତଙ୍କ ମନ ମମତା ରଜ୍ଜୁରେ ବନ
୍ଧାହୋଇ ରହିଥାଏ,
ଅତ୍ୟନ୍ତ ଆସକ୍ତି ହୋଇଲେ ସେ ପ୍ରତି ବିକାଶରେ ବାଧା ଦିଏ |
ବଦଳିଛି ଯୁଗ ବଦଳିଛି ନୀତି ବଦଳିଛି ଗତି ମତି,
ଭିଟାମାଟିକୁ ଯେ ଜାବୁଡ଼ି ଧରୁଛି କରି ପାରୁନି ଉନ୍ନତି |
ଭିଟାମାଟି ମୋହ ତୁଟେଇ ଦେଇ ଯେ ବାହାରକୁ ଚାଲିଯାଏ,
ଆଖିଖୋଲି ଦେଖେ ବାହାର ଦୁନିଆ ଯୁଗ ସହ ତାଳଦିଏ |
କୁଳ ବେଉଷାକୁ ଛାଡ଼ିଛନ୍ତି ଯିଏ ହେଇଛନ୍ତି ବଡ଼ ସିଏ,
ଧନ ମାନ ଜ୍ଞାନ କରନ୍ତି ଅର୍ଜନ ସ୍ୱନାମେ ପ୍ରତିଷ୍ଠା ପାଏ |
ଭିଟାମାଟି ମୋହ ଥାଉ ହୃଦୟରେ ମମତାରେ ବନ୍ଧା ଥାଉ,
ନିଜର ବିକାଶ ଦେଶର ବିକାଶ ଜ୍ଞାନର ବିକାଶ ହେଉ |