ଏକା ଏକା
ଏକା ଏକା
ଆସିବାଟା ଏକା
ଯିବାଟା ବି ଏକା
ମଝିରେ ଭିଡ଼ ସଂସାର।
ଏକା ଏକା ତେଣୁ
ଚାଲିବା ପାଇଁକି
ମନେ କିଆଁ ବନ୍ଧୁ ଡର !
ଯଦି କିଏ ମିଳେ
ଚାଲିବାକୁ ସାଥେ
ତାହେଲେ ତ ଭଲକଥା।
ନ ଆସିଲେ କେହି
ଚାଲ ଏକା ଏକା
ଭାବନା କରିବା ବୃଥା।
ଆଗରେ ସୁଦୀର୍ଘ
ଜୀବନର ପଥ
ଚାଲିବାକୁ ତାକୁ ହେବ।
ନ ଚାଲିଣ ଏକା
ସାଥି ଖୋଜୁଥିଲେ
ପଥ କି କେବେ ସରିବ ?
ଅଟକିବା ନାମ
ନୁହେଁ ତ ଜୀବନ
ଚାଲିବା ଅଟେ ଜୀବନ।
ନୀତି ଆଦର୍ଶରେ
କର୍ମ ପଥେ ଚାଲ
ଜନମ ହୋଇବ ଧନ୍ୟ।
ଏକା ହୁଅ ଅବା
ସାଥେ କେହି ଥାଉ
ସେଥିକି ନଦିଅ ଧ୍ୟାନ।
ବିନ୍ଦୁ ସିନା ତୁମେ
ଆଦର୍ଶ ବଳରେ
ହେବ ସିନ୍ଧୁର ସମାନ।
ଅମୃତ ସନ୍ତାନ !
ମୃତ୍ୟୁ ତୁମ ନାହିଁ
କାହିଁକି କରୁଛ ଭୟ।
କେହି ନ ଆସିଲେ
ଚାଲ ଏକା ଏକା
ଜୀବନର ଲକ୍ଷ୍ୟ ଜୟ।
ପାଶେ ଥିଲେ ଧୈର୍ଯ୍ୟ
ଦୃଢ଼ ମନୋବଳ
ଲକ୍ଷ୍ୟ ହୋଇଲେ ମହତ।
ଅପେକ୍ଷା ନକରି
ନିର୍ଭୟରେ ଚାଲ
ବିଜୟ ହେବ ନିଶ୍ଚତ।