ଭଗବାନଙ୍କ ଆସ୍ଥା
ଭଗବାନଙ୍କ ଆସ୍ଥା
କବିତା - ଉଗବାନଙ୍କ ଆସ୍ଥା
ରଚନା - ପଞ୍ଚାନନ ଜେନା
ତାରିଖ - ୨୯-୦୨-୨୦୨୪
ଯେତେ କଢ଼ ଫୁଟିବ ଫୁଟୁ
ସକାଳୁ ସବୁ ତୋଳା ହେବ
ନୋହିଲେ ମଉଳି ଯିବ ଝରି ଯିବ
ଯେତେ ଫୁଲ ହସିବ ହସୁ
ହାର ହେବ ବା ମାଳା ହେବ
ନୋହିଲେ ଗଛ ତଳେ ପଡି
ଶୁଖିଲା ପତର ସାଙ୍ଗେ ଅଳିଆ ହେବ
ଯେତେ ଫୁଲ ବାସିବ ବାସୁ
ଗଭା ତଳେ ଖୋସି ମୁରୁକି ଥିବ
କଳା ଘୁମର ଲମ୍ବା ବେଣୀ ତଳେ
ଅତର ମଖା ଗଜରା ପରି ସୁନ୍ଦର ଲାଗୁଥିବ
ନୋହିଲେ ମଉଳା ମୁକୁଳା ପାଖୁଡ଼ା ପରି
ଅଣଦେଖା ଅବହେଳାର ଶିକାର ହେବ
ଯେତେ ଫୁଲ ଛୁଇଁବ ଛୁଉଁ
ପ୍ରଭୁଙ୍କ ପାଦପଙ୍କଜ
ଯେତେ ଫୁଲମାଳ ଶୋଭିବ ଶୋଭୁ
ବିଭୁଙ୍କ ଗଳା ମେଖଳା ବ୍ରଜ
ଫୁଲ ଗଛରେ ରହି ହସନ୍ତା
ପବନ ସହିତ ଦୋଳି ଖେଳନ୍ତା
ବାସ ସୁବାସ ବିତରି
ଜନ ମନ ହରନ୍ତା
ଶୋକ ବତୁରା ମନକୁ
କ୍ଷଣିକ ଉନ୍ମାଦନାରେ ଛୁଇଁ
ଖୁସି କରିଲେ କେମିତି ହୁଅନ୍ତା ।
ଆମେ ସବୁ ହେଲୁ ସୁମନଗ୍ରାହୀ
ସିଆଣିଆ ସୌନ୍ଦର୍ଯ୍ୟଗ୍ରାହୀ
ଫୁଲ ତୋଳା ବେପାରୀ
ଡ଼ାଳ ଭଙ୍ଗା ବୟିରୀ
ପତ୍ର ଛିଣ୍ଡା ଟପୁରି
ଫୁଲ ଚୋରେଇ ତରବରରେ ରସଗ୍ରାହୀ
ଫୁଲକୁ କଷ୍ଟ କେଞ୍ଚ ଦେଇ ତୋଳିବୁ
ଠାକୁରଙ୍କ ପାଖେ କରୁଥିବୁ ଗୁହାରୀ
ଫୁଲ ଗଛର କାନ ମୋଡି ଟାଣିବୁ
ମନ୍ଦିରରେ ଆଣ୍ଠୁଜାକି ବ୍ରତ ଅଷ୍ଟପ୍ରହରୀ
ପରିତାପର ଆଉ ଗୋଟେ କାରଣ
ଫୁଲ ଗଛ ଲଗେଇବ ଯିଏ
ସକାଳୁ ଲଣ୍ଡା ଗଛ ଦେଖିବ ସିଏ
ବଡି ଭୋରରୁ ବଙ୍କୁଲି ବାଡିରେ
ପଲିଥିନ ଭିତରେ
ଫୁଲ ସବୁ ଅଣନିଃଶ୍ଵାସୀ
ହରଣ ଚାଲ
ମନ୍ଦିର ବେଢାରେ
ଚାପା ଗୁଞ୍ଜରଣ ଶୁଣାଯାଏ କି
ଠାକୁରଙ୍କ କୃପା ମିଳୁନି ଥରେ
ଭଗବାନଙ୍କ ଘରେ ଅନ୍ଧାର କହୁଣି ମାରେ
କେମିତି ଆଶିର୍ବାଦ ମିଳିବ କୁହ ଦେଖି
ଫୁଲ ଗଛ ନୁହଁ ଆମର
ପୁଷ୍ପାଞ୍ଜଳି ଫୁଲ ବି ଅନ୍ୟର
ଆଣିଲେ ଫୁଲ ଚୋରେଇ
କରୁଣା ବି ଯିବ ଦୂରେଇ
କାହିଁ ବଦନାମ କରୁଛ ଭଗବାନଙ୍କ ଆସ୍ଥା
ଚାଲି ନ ଜାଣି ବାଟର ଦୋଷ ପରି
କାଠଗଡାରେ ବିନା କାରଣରେ ପ୍ରଭୁ ହୀନସ୍ତା ।