ଭାବିଲି ଦିନେ କରିବି ମଜା
ଭାବିଲି ଦିନେ କରିବି ମଜା
ଭାବିଲି ଦିନେ କରିବା ମଜା
ସାଙ୍ଗସାଥୀଙ୍କ ମେଳେ
ହଟାତ ବୁଦ୍ଧି ଜୁଟିଲା ମୋର
ମୁହଁ ସଞ୍ଜର ବେଳେ ।
କେଶକୁ ମୋର ମୁକୁଳା କରି
ତରାଟି ଦୁଇ ଆଖି
ଚାହିଁଲି ତାଙ୍କୁ ଏକ ଲୟରେ
ମୁହଁରେ ରାଗ ମାଖି ।
କହିଲି ଗଳା ମୋଟା ମୁଁ କରି
ଅମୁକ ସାହି ଘର
ମଙ୍ଗୁଳି ବୁଢ଼ୀ ଭୂତ ଆସିଛି
କରିବି ହରବର।
ଗୋଟା ଗୋଟାକୁ ମୋଡି ଖାଇବି
ଆଜି ତ ରକ୍ଷା ନାହିଁ
କହିଲେ ଯାଇ ଜେଜିମାଆକୁ
ଦୌଡ଼ି ଦୌଡ଼ି ଯାଇ ।
ବୁଢ଼ୀ ଆସିଲା କାଣି ଆଙ୍ଗୁଠି
ଧରିଲା ମୋର ଚାପି
ଓଃ କି କଷ୍ଟ ସମ୍ଭାଳି ନେଲି
ଭଗବାନଙ୍କୁ ଜପି ।
କୁଆଡେ ଥିଲା ପଡିଶା ଘର
ଫତୁରୀ ଜେଜି ବୁଢ଼ୀ
ଝାଡୁଟେ ଧରି ଉଭା ହୋଇଲା
ପିଟିଲା ହାତ ଯୋଡି ।
ଦୁଇ ପାହାର ବାଜିବା ପରେ
ଧାଇଁଲି ପ୍ରାଣ ଧରି
ନୁହେଁ ମୁଁ ଭୂତ ନୁହେଁ ମୁଁ ପ୍ରେତ
କହିଲି ଥରି ଥରି ।
ହସିଲେ ସାଙ୍ଗ ଜେଜି ମାଆମାନେ
କହିଲେ ଭଲ ହେଲା
ଆଉ ଏମିତି ମଜା କରିଲେ
ବୁଡିବ ତୋର ଭେଳା ।
ଝାଡୁ ପାହାର କେମିତି ଥିଲା
ପଚାରି ସାଙ୍ଗ ମାନେ
ଦୁଇ ଦୁଇଟି ବିଧା ଥୋଇଲେ
ନୁଆଇଁ ପିଠି ଜଣେ ।
କାନ ମୁଣ୍ଡାକୁ ଆଉଁସି କରି
କହିଲି ନାହିଁ ନାହିଁ
ଏମିତି ମଜା ଜୀବନେ କେବେ
ଆଉ କରିବି ନାହିଁ।
