STORYMIRROR

Panchanan Jena

Fantasy

4  

Panchanan Jena

Fantasy

ବାପାଙ୍କ ଜିଦ୍

ବାପାଙ୍କ ଜିଦ୍

1 min
4


ଘର ଗୋଡ଼ା ଦେବା ଦିନୁ

ବାପାଙ୍କ ଜିଦ୍‌ ଗୋଟାଏ

ବଡ଼ ବଡ଼ ହେବ କବାଟ ଚଉକାଠ

ତାଠୁଁ ବଡ଼ ଝରକାବନ୍ଧ ନିମ୍ବ କାଠ 


ବୋଉ ଗରଗର

ମଉସା ମାଉସୀ 

ନବୁଝି ନସୁଝି ବୋଉ ପାଖିଆ

ଆହୁରି ତିରସ୍କାର


ମାମୁଁ ମାଇଁ ଆସୁ ଆସୁ

ହୁଁ ହାଁ କରୁଥିଲେ

ନାକ ଟେକୁଥିଲେ 

ହାତ ଚାଖଣ୍ଡେ ଯହୁଁ ଘର

ପୁଣି ଫୁଟାଣି ଛପର ପାର

ପୁଣି ଝରକା ଦରଜା ଦେଖ ପାନ ପତର

ହାତି କାନ ପରି ଦିଶେ ବେଢଙ୍ଗିଆ ଅସୁନ୍ଦର


କିଛି ବୁଝା ପଡ଼ୁ ନ ଥିଲା

କୂଳ ଥଳ ବି ମିଳୁ ନ ଥିଲା


ବାପାଙ୍କ ଜିଦ୍ ଆଜି ବି କାନ୍ଥରେ ଟଙ୍ଗା

ଫଟୋ ରୁ ବାରିପଡ଼େ

ରକ୍ତ ଚାଉଳ ଚୋବେଇ ରହିଗଲେ 

ଆତ୍ମୀୟ ସ୍ବଜନ ବାରିଆଡ଼େ

ଗୃହ ପ୍ରତିଷ୍ଠାରେ ଯୋଗ ଦେଲେ 

ଗହ ଗହ ଭିଡ଼ ଜମିଥିଲା କଡ଼େ କଡ଼େ


ଆଜି ବସିଛି ଅବସନ୍ନ

ବଡ଼ ଝରକାର ଆଖି ଦେଇ

ପାଉଛି ହଜିଥିବା ପିଲାଦିନ

ଗାଁ ପଡିଆରେ ଦୈଡୁଥିବା 

ଶୌଶବ ଅପରାହ୍ନ


ବଡ଼ ଝରକାର

 ଡିମା ଡିମା ଗବାକ୍ଷ ଦେଇ

ମିଳୁଛି ଝର୍କାଏ ତାରାଭରା ଜୋଛନା

ଦୁଇ ପାପୁଲିରେ ପିଇ ପାରୁଛି

ମୁଠା ମୁଠା ଅମୀୟ ମୁର୍ଚ୍ଛନା


ବଡ଼ ଝରକାର ଡାମରା ଡାମରା 

ପାଖୁଡ଼ା ଖୋଲି ଦେଲେ 

ମିଳୁଛି ବଙ୍ଗୋପସାଗରୀୟ ଦକ୍ଷିଣା ପବନ

ଫୁଲକୁଣ୍ଡରେ ଡେଉଁଥିବା ଟିକି ଚଢେଇର

ଡିଆଁ ଡେଇଁ ଖେଳରେ ଭରିଛି

ଭାବନା ସମ୍କୋହନ


ବଡ଼ ଝରକା ଅଛି ବୋଲି

ଦେଖି ପାରୁଛି ଶ୍ରାବଣ ମହ୍ଲାର

ଛୁଇଁ ପାରୁଛି ସ୍ମୃତିର ଜରାୟୁ ଭିତରେ

ସାଇତା ଅନ୍ତଃସ୍ଵର

ଗାଇ ପାରୁଛି ମେଘ ବରଷିଲା ଟୁପୁର୍ ଟାପୁର୍

ହଜାରେ ଥର

ଆଉ ଶୁଣି ପାରୁଛି

ନ ବର୍ଷି ଲେଉଟି ଯାଉଥିବା

କଳାହାଣ୍ଡିଆ ମେଘମାନଙ୍କ ଆର୍ତ୍ତଚିତ୍କାର


Rate this content
Log in

Similar oriya poem from Fantasy