ବାଗ୍ମୀ ପ୍ରଣୟିନୀ
ବାଗ୍ମୀ ପ୍ରଣୟିନୀ
କଳ୍ପନା ଋତୁର କଳ୍ପ ସୁକୁମାରୀ
ସ୍ୱପ୍ନରେ ସ୍ୱପ୍ନରେ
ଅଳ୍ପ ଅଳ୍ପ ଦିଏ ହସି ।
ସିଏ ମୋ' ପ୍ରେମିକା,ସ୍ବାତୀ ସ୍ୱାଗତିକା
ଲଗ୍ନରେ ଲଗ୍ନରେ
ମୃଦୁ ମୃଦୁ ଯାଏ ଭାଷି ।।
ଋତୁରେ ଋତୁରେ ପ୍ରୀତିରେ ପ୍ରୀତିରେ
ଛନ୍ଦରେ ଛନ୍ଦରେ
ନମ୍ର ନମ୍ର ନିବେଦନ ।
ପ୍ରେମିକା ନୁହେଁ ସେ ବାଗ୍ମୀ ପ୍ରଣୟିନୀ
ସଂଭ୍ରମ ସାନ୍ନିଧ୍ୟ
ମୋ' ପ୍ରାଣପୁଷ୍ପ ସ୍ପନ୍ଦନ ।।
ଶବ୍ଦରେ ଶବ୍ଦରେ ଭାବ ଖଞ୍ଜିଦେଇ
ରାଗ ଅନୁରାଗେ
ସୁର,ତାଳ, ଲୟ ଦେଇ ।
ମୋ' ପ୍ରେମିକା ପ୍ରୀତି ଉଦାର ଉର୍ବର
ଝର୍ଝର ଝଙ୍କାର
କଳ୍ପତରୁ,ସେ ବୈଦେହୀ ।।
ବୈଦେହୀ ସିନା ସେ,ନୁହେଁ ନିର୍ବାସିତା
ମୃଣ୍ମୟୀ ମୃଣ୍ମୟୀ
ସଦ୍ୟ ସୁରମ୍ୟା ଲଳିତା ।
ଲାଳିତ୍ୟରେ ତା'ର ଲାବଣ୍ୟବତୀ ବି
ଲାଜେଇ ଲାଜେଇ
ନରମେ ନୁଆଁଏ ମଥା ।।
କୁଙ୍କୁମ କୁଙ୍କୁମ କାନ୍ତି ଅନୁପମ
ତା' ସ୍ନିଗ୍ଧ ପରଶ
ବଉଳ ବଉଳ ବାସେ ।
କସ୍ତୁରୀ ମୃଗର ଅତୁଳ ସୁରଭି
ସରମି ସରମି
ହଜିଯାଏ ଅବଶୋଷେ ।।
ସୁରରେ ସୁରରେ ସଙ୍ଗୀତ ସଜାଏ
ତା' ସଙ୍ଗୀତେ ଥାଏ
ମୋ' କାବ୍ୟ କ୍ରନ୍ଦନ ଧ୍ୱନି ।
କ୍ରନ୍ଦନ ନୁହେଁ ତା' ଶ୍ରୁତିର ସଂସ୍କାର
ବୈଦିକ ବିଧାନ
ପାରମ୍ପରିକ ଓଢଣି ।।
ନୃତ୍ୟରେ ନୃତ୍ୟରେ ମୋ' ଚିତ୍ରକଳ୍ପକୁ
ରୂପକଳ୍ପ ଦିଏ
ଅଙ୍ଗୀକାର ଆଭିଜାତ୍ୟ ।
ତା' ଆଭିଜାତ୍ୟରେ ପ୍ରେମ ପ୍ରେମ ନୁହେଁ
ମାନବିକତାର
ବନ୍ଧନ,ସୁଚରିତାର୍ଥ ।।
ପ୍ରଣୟିନୀ ସିଏ ଶାଶ୍ୱତ ସମ୍ମାନ
ରମ୍ୟା ନାରୀ ପାଇଁ
ସୁରମ୍ୟା ଦିବ୍ୟ ଆସନ ।
ମୋ' ସୂକ୍ଷ୍ମ ସୃଜନୀ ଭବ୍ୟ,ଚିରନ୍ତନୀ
ନାରୀ ମୋ' ନମସ୍ୟା
ଶୁଭଲକ୍ଷ୍ମୀ ଦିବ୍ୟାସନ ।।

